ଖୁବ୍ କମ୍ ବୟସରୁ ସେ ଆସିଥିଲେ ଆଲବମ୍ ଜଗତକୁ। ତା’ପରେ ଆଙ୍କରିଂରେ ମଚେଇଲେ ଧମାଲ୍। ପରେ ପୁଣି ବଡ଼ପରଦାରେ ଦେଖେଇଲେ ନିଜର ଜଲ୍ଓ୍ବା। ଏହି ଆଙ୍କର୍ କମ୍ ଅଭିନେତ୍ରୀ ଜଣକ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଏଲି ପାଢ଼ୀ…
ପସନ୍ଦ ନୁହେଁ ମେକ୍ଅପ୍ ହେବା
ଗହଣାର ସଉକ ନାହିଁ କି ସଜେଇ ହେବା ମୋତେ ପସନ୍ଦ ନୁହେଁ। ମେକ୍ଅପ୍ କରିବାକୁ ତ ଜମାରୁ ଭଲ ଲାଗେନି। ଏଇ ଇଣ୍ଡଷ୍ଟ୍ରିରେ ମୋର ପ୍ରାୟ ୨୨ ବର୍ଷ ହୋଇଗଲାଣି। ୫ମ-୬ଷ୍ଠ ଶ୍ରେଣୀରୁ ଆଲବମ୍ କରିବା ଆରମ୍ଭ କରିଥିଲି। ଏତେ ବର୍ଷ ଧରି ମେକ୍ଅପ୍ ନେଇ ନେଇ ବିରକ୍ତ ହୋଇଗଲିଣି। ତେଣୁ ଘରେ ଥିଲେ ଅବା ବାହାରକୁ ଗଲେ ମୁଁ ଜମାରୁ ମେକ୍ଅପ୍ ନେଇ ନ ଥାଏ।
ଆରମ୍ଭ ଆଲବମ୍ରୁ
ମା’ଙ୍କଠାରୁ ନାଚ ଶିଖିଥିଲି। ଆଉ ସେଇ ନାଚ ହିଁ ମୋତେ ଓଲିଉଡ ଇଣ୍ଡିଷ୍ଟ୍ରୀକୁ ବାଟ କଢ଼େଇ ନେଇଥିଲା। ପ୍ରଥମେ ଆଲବମ୍। ତା’ପରେ ଆଙ୍କରିଂ ଓ ପରେ ଚଳଚ୍ଚିତ୍ରରେ କାମ କଲି। ପ୍ରଥମ ଚଳଚ୍ଚିତ୍ର ଏଇ ମିଳନ ଯୁଗ ଯୁଗର, ପ୍ରଥମ ଆଲ୍ବମ୍ ଥିଲା ‘ତାଜା ଖବର’।
ଅଭିନୟ ଓ ଆଙ୍କରିଂ
ଜଣେ କଳାକାରଭାବେ ମୋତେ ସବୁ କରିବାକୁ ଭଲ ଲାଗେ। ତେବେ ତାହା ଆଙ୍କରିଂ ହେଉ କି ଅଭିନୟ ।
ଅବସରରେ
ଅବସର ସମୟରେ କିଛି ନୂଆ ଶିଖିବାକୁ ପସନ୍ଦ କରେ, ଯେମିତିକି ଫଟୋ ଏଡିଟିଂ ଶିଖିବା, ୟୁଟ୍ୟୁବ୍ରେ ନୂଆ ଟେକ୍ନିକ୍ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଭିଡିଓ ଦେଖିବା। ଏବେ ଗିଟାର ବି ଶିଖୁଛି। ତା’ଛଡା ମମିଙ୍କ ସହ ଫୋନ୍ରେ ଗପିବା ମୋତେ ସବୁଠୁ ବେଶି ଭଲ ଲାଗେ।
ଖାଇବା ପସନ୍ଦ
ଚିକେନ୍ ବହୁତ ପସନ୍ଦ। ଖାସ୍କରି ମମିଙ୍କ ହାତ ତିଆରି ଚିକେନ୍ ମୋର ଭାରି ପ୍ରିୟ। ହେଲେ ମିଠା, ଖଟା ଜମାରୁ ପସନ୍ଦ ନୁହେଁ।
ସ୍ବାମୀଙ୍କୁ ପସନ୍ଦ ମୋ ରୋଷେଇ
ମୁଁ ବହୁତ ଭଲ ରୋଷେଇ କରେ। ତା’ଛଡା ସ୍ବାମୀ ମୋର ବେଶ୍ ସ୍ବାସ୍ଥ୍ୟ ସଚେତନ। ସେଥିପାଇଁ ମୁଁ ତିଆରି କରୁଥିବା କମ୍ ତେଲ ମସଲାର ଖାଦ୍ୟ ତାଙ୍କୁ ଭଲ ଲାଗେ। ଆଉ ତାଙ୍କ ଡିମାଣ୍ଡ ଅନୁସାରେ ରାନ୍ଧି ଖୁଆଇବାରେ ମୋତେ ଆନନ୍ଦ ମିଳେ।
ଜାଣି ନ ଥିଲି ସେ ହେବେ ମୋ ଜୀବନ ସାଥୀ
ଆମେ ଦୁହେଁ ଗୋଟିଏ ସ୍ଥାନର। ଆଗରୁ ପରସ୍ପରକୁ ଚିହ୍ନିଥିଲୁ, ଜାଣିଥିଲୁ ମଧ୍ୟ। ହେଲେ ମୁଁ ଜାଣି ନ ଥିଲି ଯେ ସେଇ ଚିହ୍ନା ପିଲାଟି ମୋର ସ୍ବାମୀ ହେବେ। ଜାଣିଥିଲେ ହୁଏତ କେବେ ଭାବି ନ ଥାନ୍ତି ଯେ, ମୋ ମନର ମଣିଷ କେମିତି ହୋଇଥିବେ ବୋଲି।
ରାଗି ଥିଲି, ଏବେ ନୁହେଁ
ମୁଁ ଆଗରୁ ବହୁତ ରାଗି ଥିଲି। ହେଲେ ବାହାଘର ପରେ ସ୍ବାମୀଙ୍କ ରାଗ ଦେଖି ମୁଁ ମୋ ରାଗକୁ ନିୟନ୍ତ୍ରଣରେ ରଖିବା ଶିଖିଗଲି। ଭାବିଲି ଦୁହେଁ ଯଦି ରାଗିବୁ ତା’ହେଲେ ସବୁଦିନ ଝଗଡ଼ା ହିଁ ହେବ।
ବୁଲାବୁଲି ପସନ୍ଦ
ବୁଲାବୁଲି ମୋତେ ବହୁତ ପସନ୍ଦ। ଆଉ ସ୍ବାମୀ ସାଥିରେ ଥିଲେ ଛୋଟିଆ ଜାଗା ବି ମୋତେ ସ୍ପେଶାଲ ଲାଗେ।
ଡେଲି ରୁଟିନ୍
ସକାଳ ୫.୩୦ରୁ ୬ଟା ଭିତରେ ଉଠିଯାଏ। ଘରେ ଯୋଗ, ଏକ୍ସରସାଇଜ୍ ଓ ଜୁମ୍ବା କରେ। ୯.୩୦ରେ କାମକୁ ବାହାରିଯାଏ। ଲେଟ୍ ନାଇଟ୍ ଶୁଟିଂକୁ ଏବେ ଆଭଏଡ୍ କରୁଛି। ରାତିରେ ସବୁବେଳେ ଜଲ୍ଦି ଖାଇ ଜଲ୍ଦି ଶୋଇବାକୁ ଚେଷ୍ଟା କରେ।
ଫ୍ୟୁଚର ପ୍ଲାନିଂ କରେନି
କୋଭିଡ୍ରେ ଅନେକ ପ୍ରିୟ ଲୋକଙ୍କୁ ଆଖି ସାମ୍ନାରେ ଯିବାର ଦେଖିବା ପରଠାରୁ ଭବିଷ୍ୟତ ପାଇଁ ପ୍ଲାନିଂ କରିବା ମୁଁ ଛାଡିଦେଇଛି। ଭବିଷ୍ୟତ ଅନିଶ୍ଚିତ। ଯାହା ଭାଗ୍ୟରେ ଅଛି ତାହା ହିଁ ହେବ। ତେଣୁ ପ୍ଲାନିଂର ଆବଶ୍ୟକତା ନାହିଁ ବୋଲି ମୁଁ ମନେକରେ।
-ଶିବାନୀ ମହାନ୍ତି