ଗାଜା ହସ୍ପିଟାଲରେ ସେଲ୍‌ ମାଡ଼: ୧୨ ମୃତ

ଖାନ୍‌ ୟୁନିସ୍‌/ଜେରୁଜେଲମ୍‌,୨୧ା୧୧: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି। ଉକ୍ତ ହସ୍ପିଟାଲରେ ହଜାର ହଜାର ରୋଗୀ ଓ ଯୁଦ୍ଧ ବିସ୍ଥାପିତ ବହୁଦିନ ଧରି ଆଶ୍ରୟ ନେଇଥିଲେ। ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ସହ ସେମାନଙ୍କ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେବାକୁ ଇସ୍ରାଏଲ୍‌ ଯୁଦ୍ଧକୁ ଜୋର୍‌ଦାର କରିବାରେ ଲାଗିଛି। ସେଠାରେ ଥିବା ଏକ ଇଣ୍ଡୋନେସୀୟ ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ସେଲ୍‌ ମାଡ଼ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଲ୍‌ ଶିଫା ହସ୍ପିଟାଲରୁ ରବିବାର ୩୧ ଜଣ ଅପରିପକ୍ୱ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଇଥିଲା। ଉକ୍ତ ହସ୍ପିଟାଲରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ରୋଗୀ ଅଟକି ରହିଛନ୍ତି। ଇସ୍ରାଏଲ୍‌ ସେନା ଆକ୍ରମଣରେ ପାଖାପାଖି ୧୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା କୁହାଯାଉଛି।
ହସ୍ପିଟାଲଗୁଡ଼ିକରେ ହମାସ୍‌ ଆତଙ୍କବାଦୀ ଆତ୍ମଗୋପନ କରିବା ସହ ଏହାକୁ ସେମାନଙ୍କ କମାଣ୍ଡ ସେଣ୍ଟରରେ ପରିଣତ କରିଥିବା ଅଭିଯୋଗ କରି ଇସ୍ରାଏଲ୍‌ ସେଗୁଡ଼ିକୁ ଟାର୍ଗେଟ କରୁଛି। ଶିଫା ହସ୍ପିଟାଲ ତଳେ ୫୫ ମିଟର ସୁଡ଼ଙ୍ଗ ଠାବ ହୋଇଛି। ଆତଙ୍କବାଦୀମାନେ ଉକ୍ତ ସୁଡ଼ଙ୍ଗରେ ରହିବା ସହ ସେଠାରେ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖିଥିବା ଇସ୍ରାଏଲ୍‌ କହିଛି।
ଇସ୍ରାଏଲ୍‌ ସୈନ୍ୟ ସୋମବାର ଆକ୍ରମଣକୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରଣ କରିଛନ୍ତି। ଗାଜାର ସର୍ବବୃହତ୍‌ ଶରଣାର୍ଥୀ କ୍ୟାମ୍ପ ଜବାଲିଆ ଓ ଏହା ନିକଟରେ ଥିବା ଅନ୍ୟ ଏକ ଉପକୂଳବର୍ତ୍ତୀ କ୍ୟାମ୍ପକୁ ତୁରନ୍ତ ଖାଲି କରିବା ପାଇଁ ଇସ୍ରାଏଲ୍‌ ସେଠାର ବାସିନ୍ଦାମାନଙ୍କୁ କହିଛି। ରବିବାର ଜାବାଲିଆରେ ଆକ୍ରମଣ ଯୋଗୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଥିଲା। ଶନିବାର ଉକ୍ତ ଅଞ୍ଚଳରେ ଥିବା ଏକ ସ୍କୁଲ୍‌ ସମେତ ଦୁଇଟି ସ୍ଥାନରେ ଆକ୍ରମଣ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ସ୍କୁଲ୍‌ରେ ଆକ୍ରମଣକୁ ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲ୍‌କର ଟର୍କ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ହମାସ୍‌ ପଣବନ୍ଦୀ କରିଥିବା ୨୪୦ ଜଣଙ୍କୁ ମୁକ୍ତ କରିବା ଉଦ୍ୟମରେ ଅଗ୍ରଗତି ହେଉଥିବା କାତାରର ମଧ୍ୟସ୍ଥମାନେ କହିଛନ୍ତି।

Share