Categories: ଫୁରସତ

କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ୍‌ ବନ୍ଦ

ଡଚ୍‌: ବର୍ତ୍ତମାନ ଯୁଗରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ, ସ୍ମାର୍ଟ ଘଣ୍ଟା ଭଳି ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି; ଯାହା ଫଳରେ ପିଲାମାନେ ବେଶି ଏଥିପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଡଚ୍‌ ସରକାର କ୍ଲାସ୍‌ରୁମ୍‌ରେ ପିଲାଙ୍କ ମୋବାଇଲ, ଟାବଲେଟ୍‌, ସ୍ମାର୍ଟ ଘଣ୍ଟା ବ୍ୟବହାରରେ ପ୍ରତିବନ୍ଧକ ଲଗାଇଛନ୍ତି। ପାଠପଢ଼ା ସମୟରେ ପିଲା ଏପରି ଜିନିଷକୁ ବ୍ୟବହାର କରିପାରିବେନି। ଏପରି ନିୟମ ପ୍ରଥମ ଥର ପାଇଁ ଲାଗୁ ହୋଇଥିବାରୁ ଏହାକୁ ସ୍ବାଗତ କରାଯାଇଛି। ଏହି ନିୟମ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ। କେବଳ ଡିଜିଟାଲ ସ୍କିଲ ପାଇଁ ପିଲାମାନେ ଏହାର ବ୍ୟବହାର କରିପାରିବେ। ଏଥିସହ ଜରୁରୀ ମେଡିକାଲ ଏମର୍ଜେନ୍ସି ସମୟରେ ମଧ୍ୟ ଏହାକୁ ବ୍ୟବହାର କରିହେବ। ଶିକ୍ଷାମନ୍ତ୍ରୀ ରୋବେର୍ଟ ଡିଜିକ୍‌ଗ୍ରାଫ୍‌ କହିଛନ୍ତି, ପିଲାମାନେ ଅତ୍ୟଧିକ ମୋବାଇଲ, ଟାବ୍‌ଲେଟ୍‌, ସ୍ମାର୍ଟ ଘଣ୍ଟା ଭଳି ଜିନିଷ ବ୍ୟବହାର ଫଳରେ ତାଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପଡୁଛି। କ୍ଲାସରୁମ୍‌ରେ ଏପରି ଜିନିଷ ବ୍ୟବହୃତ ନ ହେଲେ, ପିଲାମାନେ ତାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେଇପାରିବେ। ପାଠପଢ଼ାକୁ ଭଲ ଭାବେ ବୁଝିପାରିବେ। ଏହି ଚୁକ୍ତିନାମା ସମସ୍ତ ସ୍କୁଲ ଏବଂ ଏହା ସମ୍ବନ୍ଧୀୟ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ସ୍ବାକ୍ଷର ହୋଇଥିବା ଶିକ୍ଷାମନ୍ତ୍ରୀ ଡିଜିକ୍‌ଗ୍ରାଫ୍‌ କହିଛନ୍ତି।

Share