ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ବିକ୍ରି

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା-ଖୁଣ୍ଟାପାଳ ଗ୍ରାମର ସିଧାସଳଖ ସଂଯୋଗ ତଥା ବ୍ଲକର ମୁଖ୍ୟାଳୟକୁ ଯିବାଆସିବା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘୋଳମୁଁହା ଗ୍ରାମ ଦେଇ ଯାଇଥିବା ଜମ୍ଭୀରା ନଦୀ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଅଛି । ୮ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟର ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ଶେଷ ତାରିଖ ଏପ୍ରିଲ ୨ ୨୦୨୦ ମସିହା ଥିଲେ ସୁଦ୍ଧା ଏଯାଏଁ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ ।

ତେବେ ପୋଲ ନିର୍ମାଣରେ ବ୍ୟବହୃତ ସରକାରୀ ସିମେଣ୍ଟକୁ ଠିକାସଂସ୍ଥାର କର୍ମଚାରୀ ପିତ୍ତବାସୀ ବିଶ୍ୱାଳ ବେଆଇନ ଭାବେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଭିଯୋଗ ମୁତାବକ, ଉକ୍ତ ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେଏସଡବ୍ଲ୍ୟୁ ଓ଼ ରାମକୋ ସିମେଣ୍ଟକୁ ପିତ୍ତବାସୀ ନିକଟସ୍ଥ ଖୁଣ୍ଟାପାଳ ଗ୍ରାମର ଜୈନିକ ଲୋକଙ୍କୁ ବିକ୍ରି କରୁଛନ୍ତି । ଏନେଇ ପିତ୍ତବାସୀଙ୍କୁ ଗ୍ରାମବାସୀ ପଚାରିବାରୁ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସେହିପରି ପୋଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବାରୁ କଂକ୍ରିଟ ତଳେଇ ଫାଟିବା ଆରମ୍ଭ ହେଲାଣି। ଫଳରେ ପୋଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ପୋଲ ନିର୍ମାଣରେ ବ୍ୟବହୃତ ବାଲି ପ୍ରଶାସନର ଅଜାଣତରେ ବେଆଇନ ଭାବେ ନଦୀରୁ ଉତ୍ତୋଳନ ହୋଇଛି, ଯାହାର ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ ପାଇଲଟ ଟୁଡୁ, ଦୈତାରୀ ପ୍ରଧାନ, ଗଣେଶ୍ୱର ସିଂ,ବାପୁନ ସିଂ, ମଙ୍ଗଳ ସିଂ, ମନୋଜ ଧାଉଁଡିଆ, ନୟନ କୁମାର ନାଏକ ଏବଂ ଅନ୍ୟମାନେ।

ଏହି ସବୁକୁ ନେଇ ମଙ୍ଗଳବାର ଉତ୍ୟକ୍ତ ଗ୍ରାମବାସୀମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ତାଗିଦ କରିବା ସହିତ ପୋଲ ର୍ନିମାଣ କାର୍ଯ୍ୟ ସଠିକ ଭାବାରେ କରିବା ପାଇଁ କହିଥିଲେ । ଏ ବବାବାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କୃଷ୍ଣ ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ପୋଲ ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ଏବଂ ସିମେଣ୍ଟ ବିକ୍ରି ଘଟଣା ବାବଦରେ ସେ ଠିକାଦାରଙ୍କୁ ଜଣାଇବେ ବୋଲି କହିଛନ୍ତି।