ନୂଆଦିଲ୍ଲୀ,୭ା୧(ପି.ଟି.): ପ୍ରତି ଦଶବର୍ଷରେ ହେଉଥିବା ଜନଗଣନା ବିଳମ୍ବିତ ହୋଇଥିବାବେଳେ ଏହା ପୁଣିଥରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡ଼ିଛି। ଜନଗଣନାର ଘର ତାଲିକା ପର୍ଯ୍ୟାୟ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍ପିଆର୍) ସଂଶୋଧନ ସାରା ଦେଶରେ ୨୦୨୦ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବାର ଥିଲା। କୋଭିଡ୍ ମହାମାରୀ ଯୋଗୁ ଏହା ସ୍ଥଗିତ ରହିଥିଲା। ଏବେ ଜନଗଣନା ହେବାକୁ ଥିବାବେଳେ ଏଥିପାଇଁ ପ୍ରଶାସନିକ ଫ୍ରିଜିଂ ସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଜଣାଇଦିଆଯାଇଛି। ନିୟମ ଅନୁଯାୟୀ ଜିଲା, ସବ୍ଡିଭିଜନ, ତହସିଲ, ତାଲୁକ ଓ ଥାନାଗୁଡ଼ିକର ସୀମା ଫ୍ରିଜିଂର ୩ ମାସ ପରେ ଜନଗଣନା ଆରମ୍ଭ କରାଯାଇପାରିବ।