Categories: ଜାତୀୟ

୧୦୦ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨/୧: ଜାନୁଆରୀ ୨୨ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବ୍ୟବହିତ ପୂର୍ବରୁ ଅଯୋଧ୍ୟା ସମେତ ଦେଶର ବିଭିନ୍ନ ଭାଗରେ ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ଭଳି ସ୍ଥିତି ଯେମିତି ନ ଉପୁଜିବ, ସେଥିଲାଗି ଉଭୟ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ଉଦ୍ୟମ କରିଛନ୍ତି। ବିଶେଷକରି ସାମାଜିକ ଗଣମାଧ୍ୟମରେ ରାମମନ୍ଦିର ସମ୍ପର୍କରେ ପୋଷ୍ଟ କରାଯାଉଥିବା ବିଭ୍ରାନ୍ତିକର ତଥ୍ୟ ଉପରେ ସାଇବର ପୋଲିସ କଡ଼ା ନଜର ରଖିଛି। ଇତିମଧ୍ୟରେ କେନ୍ଦ୍ର ସରକାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଏବଂ ଏକ୍ସ’ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରାୟ ୧୦୦ ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛନ୍ତି।

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ବେଳେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ୍‌ ସେଣ୍ଟର (୧୪ସି)ର ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ସୂଚନା ପ୍ରଯୁକ୍ତି, ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି-ଆଇଏନ୍‌) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଅଧିକାରୀମାନେ ସାମିଲ ଅଛନ୍ତି। ଉକ୍ତ ସାଇବର ବିଶେଷଜ୍ଞ ଦଳକୁ ବିଭିନ୍ନ ଓ୍ବେବ୍‌ସାଇଟ୍‌ ଉପରେ ଅନୁଧ୍ୟାନ କରିବା ଲାଗି ଅଯୋଧ୍ୟାକୁ ପଠାଯାଇଛି।

ରାମମନ୍ଦିର ସମ୍ପର୍କିତ କୌଣସି ଫେକ୍‌/ଡିପ୍‌ଫେକ୍‌ ଭିଡିଓ ନଜରକୁ ଆସିଲେ ତାକୁ ତତ୍‌କ୍ଷଣାତ୍‌ ହଟାଇ ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମ୍‌କୁ ରିପୋର୍ଟ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଆକ୍ରମଣ ଆଶଙ୍କା ଥିବାରୁ ଅନ୍‌ଲାଇନ୍‌ ଗୁଜବ ରୋକିବା ପାଇଁ ପଦକ୍ଷେପ ନେବା ସକାଶେ ଗତ ୧୯ରେ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ପତ୍ର ଲେଖାଯାଇଥିଲା।

Share