Categories: ଜାତୀୟ

ପରିବା ଦରରେ କେନ୍ଦ୍ରର ଲଗାମ ନାହିଁ

ନୂଆଦିଲ୍ଲୀ,୧୩ା୭: ଦେଶରେ ଲଗାଣ ବର୍ଷା ଯୋଗୁ ଟମାଟୋର ଯୋଗାଣ ବାଧାପ୍ରାପ୍ତ ହେବାରୁ ଅନେକ ଭାଗରେ ଏହାର ମୂଲ୍ୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୋଷେଇ ଘରର ମୁଖ୍ୟ ପରିବା ଦର ଆକାଶଛୁଅଁା ହେବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରରୁ ଟମାଟର ଅଧିଗ୍ରହଣ କରି ଆଣିବା ପାଇଁ ନ୍ୟାଶନାଲ ଏଗ୍ରିକଲ୍ଚରାଲ କୋ-ଅପରେଟିଭ୍‌ ମାର୍କେଟିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଲିଃ (ନାଫେଡ୍‌) ଏବଂ ନ୍ୟାଶନାଲ କୋ-ଅପେରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଲିଃ (ଏନ୍‌ସିସିଏଫ୍‌)କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ୩ ରାଜ୍ୟରୁ ଟମାଟୋର ଆଣି ଦେଶର ବିଭିନ୍ନ ବଜାରକୁ ପଠାଯିବ, ଯେଉଁଠି ଏହାର ଦାମ୍‌ ମାସେ ଧରି ଆକାଶଛୁଅଁା ରହିଛି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଆସନ୍ତା ୧୪ ତାରିଖରୁ ରିଟେଲ୍‌ ଆଉଟ୍‌ଲେଟ ଜରିଆରେ ଟମାଟୋର ବିକ୍ରି କରାଯିବ।

ଅନ୍ୟପକ୍ଷେ ପରିବା ଦର ବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି, ମୋଦିଜୀ, ଲୋକେ ମୁଦ୍ରାସ୍ପୀତିରେ ସନ୍ତୁଳି ହୋଇଗଲେଣି। ସେମାନେ ଆପଣଙ୍କଠାରୁ ଏହା ଉପରେ ମନ୍ତବ୍ୟ ଚାହୁଁନାହାନ୍ତି। କିନ୍ତୁ ଆପଣ ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ବୋଲି ଚାହୁଁଛନ୍ତି।

Share