Categories: ଜାତୀୟ

ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍‌ଏସ୍‌): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଯାଇଥିଲା। ଉଭୟ ରାଜ୍ୟରେ ଦଳୀୟ ବିଧାୟକମାନଙ୍କ ଇସ୍ତଫା ଯୋଗୁ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲେ। ଏଥିପାଇଁ କଂଗ୍ରେସ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ଦାୟୀ କରିଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି କେନ୍ଦ୍ର ସରକାର ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର (ଆଇଟି) ବିଭାଗର ଦୁରୁପଯୋଗ କରୁଥିତ୍ବା କଂଗ୍ରେସ ଅଭିଯୋଗ କରିଛି। ଉପରୋକ୍ତ ସଂସ୍ଥାଗୁଡ଼ିକ ଜରିଆରେ ବିଧାୟକମାନଙ୍କୁ ଧମକ ଦିଆଯିବା ସହ ବ୍ଲାକ୍‌ମେଲ୍‌ କରାଯାଉଛି ବୋଲି ପୁଡ଼ୁଚେରୀ କଂଗ୍ରେସ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି। ସରକାର ଭାଙ୍ଗିବା ପାଇଁ ଘୋଡ଼ାବେପାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ପୁଡ଼ୁଚେରୀର ୫ କଂଗ୍ରେସ ବିଧାୟକ ଓ ସହଯୋଗୀ ଦଳ ଡିଏମ୍‌କେର ଜଣେ ବିଧାୟକଙ୍କ ଇସ୍ତଫା ପରେ ଭି. ନାରାୟଣସ୍ବାମୀ ସରକାର ସୋମବାର ଗୃହରେ ସଂଖ୍ୟାଗରିଷ୍ଠତା ଦେଖାଇ ନ ପାରି ଇସ୍ତଫା ଦେଇଥିଲେ।

Share