ଓଡ଼ିଶା ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ସାର ଯୋଗାଇବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୮: ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ଖରିଫ ଋତୁରେ ଓଡ଼ିଶାର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଣ ନେଇ ମାଣ୍ଡଭିୟ ପ୍ରତିଶ୍ରୁତି ଦେଇଥିବା ଟୁଇଟ୍‌ ଯୋଗେ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ନବରଙ୍ଗପୁରର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି ତାଙ୍କୁ ଅବଗତ କରିଥିଲେ। ଏହା ପରେ ସେ କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟଙ୍କ ସହ କଥା ହୋଇଥିଲେ। ଉଲ୍ଲେଖନୀୟ ଯେ, ପ୍ରଧାନଙ୍କ ଏ ସମ୍ପର୍କିତ ଟୁଇଟ୍‌ରେ ପ୍ରତିକ୍ରିୟା ଦେଇ ମାଣ୍ଡଭିୟ ଓଡ଼ିଶାର କୋଣ ଅନୁକୋଣକୁ ପର୍ଯ୍ୟାପ୍ତ ସାର ଯୋଗାଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

Share