Categories: ଜାତୀୟ

ହାଇକୋର୍ଟ ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଛି କେନ୍ଦ୍ର

ନୂଆଦିଲ୍ଲୀ,୨୭ା୯: ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଓ ବଦଳି ପାଇଁ ୭୦ ନାମ ସୁପାରିସ୍‌ କରିଥିବାବେଳେ ତାହା କେନ୍ଦ୍ର ସରକାରଙ୍କ ପାଖରେ ପଡ଼ିରହିଛି। ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ସମାଧାନରେ ଆଟର୍ନି ଜେନେରାଲଙ୍କ କାର୍ଯ୍ୟାଳୟ ସହଯୋଗ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିଚାରପତି ନିଯୁକ୍ତି ଓ ବଦଳିରେ ବିଳମ୍ବକୁ ନେଇ ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି। ପଡ଼ିରହିଥିବା ସୁପାରିସ୍‌ ଉପରେ ସରକାର କ’ଣ ନିର୍ଦ୍ଦେଶ ଦେଇଛନ୍ତି, ତାହା ଉପରେ ରିପୋର୍ଟ ଦେବାକୁ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି ସପ୍ତାହେ ସମୟ ଲୋଡ଼ିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ମଧ୍ୟରେ ଏନେଇ ପଦକ୍ଷେପ ନିଆ ନ ଗଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି ବିଚାରପତି ଜଷ୍ଟିସ୍‌ କୌଲ୍‌ କହିଛନ୍ତି।
ଗତ ସପ୍ତାହ ସୁଦ୍ଧା ୮୦ ସୁପାରିସ୍‌ କେନ୍ଦ୍ର ନିକଟରେ ପଡ଼ିରହିଥିବାବେଳେ ଇତିମଧ୍ୟରେ ୧୦ଟି ନାଁକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏବେ ଅଟକି ରହିଥିବା ୭୦ ସୁପାରିସ୍‌ ମଧ୍ୟରୁ ୨୬ଟି ହେଉଛି ବିଚାରପତିଙ୍କ ବଦଳି ସମ୍ପର୍କିତ ସୁପାରିସ୍‌। ୭ ନାଁକୁ ପୁନର୍ବାର ସୁପାରିସ କରାଯାଇଥିବାବେଳେ ୯ଟି ନାଁକୁ କେନ୍ଦ୍ର ନ ଫେରାଇ ଅଟକାଇ ରଖିଛି। ଗୋଟିଏ ସୁପାରିସ ଏକ ସମ୍ବେଦନଶୀଳ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତିକୁ ନେଇ ରହିଛି। ଗତବର୍ଷ ନଭେମ୍ବରରୁ ଏଗୁଡ଼ିକ ସରକାରଙ୍କ ପାଖରେ ପଡ଼ିରହିଥିବାବେଳେ ନିଯୁକ୍ତି ଦିଆଯାଉ ନ ଥିବା ଖଣ୍ଡପୀଠ କହିଛନ୍ତି।

Share