‘ଟିକା ନିଅଣ୍ଟ ପାଇଁ କେନ୍ଦ୍ର ଦାୟୀ’

ନୂଆଦିଲ୍ଲୀ, ୧୧।୪: ଦେଶରେ କୋଭିଡ୍‌ ଟିକାର ନିଅଣ୍ଟ ସ୍ଥିତି ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଭୁଲ୍‌ କୋଭିଡ୍‌ ପରିଚାଳନାକୁ ଦାୟୀ କରିଛନ୍ତି। ଦେଶର କୋଭିଡ୍‌ ସ୍ଥିତି ଏବଂ ସଂକ୍ରମଣ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୋନିଆ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଶନିବାର ଏକ ଭର୍ଚୁଆଲ ବୈଠକ କରିଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କଂଗ୍ରେସ ନେତ୍ରୀ ଟେଷ୍ଟିଂ, ଟ୍ରେସିଂ ଏବଂ ଟିକାକରଣକୁ ଗୁରୁତ୍ୱ ଦେବା ସହ ସଂକ୍ରମଣ ସଂଖ୍ୟାକୁ ନେଇ ସରକାର ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି। ପ୍ରଥମେ ଭାରତରେ ଟିକାକରଣ ଅଭିଯାନକୁ ଫୋକସ କରାଯିବା ଜରୁରୀ। ଏହା ପରେ ଅନ୍ୟ ଦେଶକୁ ଟିକା ରପ୍ତାନି କିମ୍ବା ସହାୟତା ଭାବେ ଯୋଗାଯାଇପାରିବ। ନରେନ୍ଦ୍ର ମୋଦି ସରକାରଙ୍କ ଟିକା ପରିଚାଳନାକୁ ସମାଲୋଚନା କରି ସୋନିଆ କହିଛନ୍ତି, ବିଭିନ୍ନ ଦେଶକୁ ଟିକା ରପ୍ତାନି କରାଯିବା ଫଳରେ ଦେଶରେ ନିଅଣ୍ଟ ସ୍ଥିତି ସୃଷ୍ଟି ହେଲା। ରାହୁଲ ମଧ୍ୟ ଦିନକ ପୂର୍ବରୁ ଟିକାର ଘରୋଇ ଆବଶ୍ୟକତା ଉପରେ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମହାରାଷ୍ଟ୍ର ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ବିହାର ଟିକ ା
ନିଅଣ୍ଟର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରଚାର ର଼୍ୟାଲି ଓ ଧର୍ମୀୟ ସମାବେଶ ବେଳେ ବିପୁଳ ଜନସମାଗମ ସଂକ୍ରମଣ ବଢ଼ାଉଛି। ଜାତୀୟ ସ୍ବାର୍ଥକୁ ଊର୍ଦ୍ଧ୍ୱରେ ରଖି ଆମେ ଏଥିପାଇଁ ନିଜକୁ ଦାୟୀ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତ୍ରୀ କହିଥିଲେ।

Share