କୋଲକାତା, ୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘର ସହାୟତା ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଦେଶରେ ଜାତିସଂଘର ଶାନ୍ତି ରକ୍ଷା ମିଶନକୁ ନିୟୋଜନ କରିବାକୁ ମମତା ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଭାରତ ସରକାର ତୁରନ୍ତ ଜାତିସଂଘ ସହ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ବାଂଲାଦେଶରେ ପୀଡ଼ିତ ଭାରତୀୟଙ୍କୁ ଉଦ୍ଧାର ତଥା ଥଇଥାନ ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପଶ୍ଚିମବଙ୍ଗ ବିଧାନସଭାକୁ ସମ୍ବୋଧନ କରି ମମତା କହିଛନ୍ତି, ଏହି ପ୍ରସଙ୍ଗରେ ଭାରତର ଷ୍ଟାଣ୍ଡ୍ ସ୍ପଷ୍ଟ ହେବା ଆବଶ୍ୟକ। ସମ୍ପ୍ରତି ଚାଲିଥିବା ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ କିମ୍ବା ବହିର୍ବ୍ୟାପାର ମନ୍ତ୍ରୀ ବାଂଲାଦେଶରେ ଭାରତୀୟଙ୍କ ସ୍ଥିତିକୁ ନେଇ ବୟାନ ଦେବାର ଆବଶ୍ୟକତା ରହିଛି।