ୟୁକ୍ରେନ୍‌ରେ ଗୁଟେରସ୍‌, ଏର୍ଡୋଗାନ୍‌

ଲଭିଭ୍‌, ୧୯ା୮:ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଗୁରୁବାର ଏହି ପୂର୍ବ ୟୁରୋପୀୟ ଦେଶୀ ଲଭିଭ୍‌ ସହରରେ ପହଞ୍ଚିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଏର୍ଡୋଗାନ୍‌ଙ୍କ ଏହା ପ୍ରଥମ ୟୁକ୍ରେନ୍‌ ଗସ୍ତ। ଉଭୟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଜାପୋରିଜିଝିଆ ସ୍ଥିତ ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା, କୂଟନୈତିକ ଉପାୟରେ ଯୁଦ୍ଧ ଶେଷ କରାଯିବା, ଖାଦ୍ୟଶସ୍ୟ ପରିବହନ ସ୍ବାଭାବିକ କରିବା ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଛି। ଗତ ମାର୍ଚ୍ଚରୁ ରୁଷିଆ କବ୍‌ଜାରେ ଥିବା ଜାପୋରିଜିଝିଆ ପାଓ୍ବାର ପ୍ଲାଣ୍ଟକୁ ମୁକ୍ତ ସହ ଏହାକୁ ସୁରକ୍ଷା ଦେବା ପାଇଁ ଜାତିସଂଘ ତ୍ୱରିତ ପଦକ୍ଷେପ ନେଉ ବୋଲି ଜେଲେନ୍‌ସ୍କି ଗୁଟେରସ୍‌ଙ୍କୁ ଅନୁରୋଧ କରିଛନ୍ତି।
ମସ୍କୋ ଉକ୍ତ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ରୁ ୟୁକ୍ରେନ୍‌ବାସୀଙ୍କୁ ଟାର୍ଗେଟ କରୁଥିବା ଜେଲେନସ୍କି କହିଛନ୍ତି। ଏଥିସହ ରୁଷିଆ ଏହି ପ୍ଲାଣ୍ଟର ବ୍ୟାପକ କ୍ଷତି ଘଟାଇଥିବା ସେ ଅଭିଯୋଗ କରିଆସିଛନ୍ତି। ତେବେ ୟୁକ୍ରେନ୍‌ ଉକ୍ତ ପାଓ୍ବାର ପ୍ଲାଣ୍ଟକୁ ଟାର୍ଗେଟ କରି ସେଲ୍‌ ମାଡ଼ କରୁଥିବା ରୁଷିଆ କହିଆସିଛି। ଏପରି ହେଲେ ୟୁରୋପର ବୃହତ୍ତମ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ ବୋଲି ରୁଷିଆ ଗୁରୁବାର ଧମକ ଦେଇଛି।

Share