ଓଡ଼ିଶାରୁ ଅଧିକ ଉଷୁନା ଚାଉଳ ସଂଗ୍ରହ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧(ଅନିଲ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିବା ପରେ ତ୍ୱରିତ ପଦକ୍ଷେପ ସ୍ବରୂପ ଚଳିତ ଖରିଫ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌ ଟନ ଉଷୁନା ଚାଉଳ ସଂଗ୍ରହ କରିବା ନେଇ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଦ୍ୱାରା ଓଡ଼ିଶାରୁ ଏହି ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଥିବା ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଅନୁରୋଧକୁ ରକ୍ଷା କରି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ ଯେ ନିକଟରେ ଧର୍ମେନ୍ଦ୍ର ବିଭାଗୀୟ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି। ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିନ ଟନ୍‌ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ତେବେ ଏନ୍‌ଏଫ୍‌ଏସ୍‌ଏ, ଏସଏଫଏସଏ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ବ ଚାଉଳର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହି ଯାଇପାରେ। ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ରହିଛି। ଓଡ଼ିଶାର ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ବିଶେଷ ସହାୟକ ହେବ।

Share