Categories: ଜାତୀୟ

ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଗୁଳିଚାଳନା ମାମଲା ମକଦ୍ଦମା ପାଇଁ ଅନୁମତି ଦେଲାନି କେନ୍ଦ୍ର

ଗୁଆହାଟୀ, ୧୪ା୪: ୨୦୨୧ ଡିସେମ୍ବରରେ ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଉଗ୍ରପନ୍ଥୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୪ ଜଣ ନିରୀହ ଯୁବକଙ୍କ ଜୀବନ ଯାଇଥିଲା। ଏହି ଅପରେଶନରେ ସମ୍ପୃକ୍ତ ୩୦ ଯବାନଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ଅନୁମତି ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛନ୍ତି। ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିକାଣ୍ଡ ଘଟଣାର ତଦନ୍ତ ନାଗାଲାଣ୍ଡ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) କରିବା ସହ ୩୦ ଅଭିଯୁକ୍ତ ଯବାନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ତେବେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସାମରିକ ବ୍ୟାପାର ବିଭାଗ ସେମାନଙ୍କ ବିରୋଧରେ ମକଦ୍ଦମା ଲାଗି ମଞ୍ଜୁରୀ ପ୍ରଦାନ କରି ନ ଥିବା କର୍ତ୍ତୃପକ୍ଷ ଜଣାଇଦେଇଛନ୍ତି। ଏ ସମ୍ପର୍କରେ କୋର୍ଟଙ୍କୁ ଜଣାଇଦିଆଯାଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ମୋନ୍‌ ଜିଲାର ଟିରୁ-ଓଟିଙ୍ଗ ଅଞ୍ଚଳରୁ ୬ ଜଣ ସ୍ଥାନୀୟ କୋଇଲା ଖଣି ଶ୍ରମିକ ଏକ ପିକ୍‌ଅପ୍‌ ଟ୍ରକ୍‌ରେ ଫେରୁଥିବାବେଳେ ସେମାନଙ୍କୁ ଉଗ୍ରପନ୍ଥୀ ଭାବି ସେନାର ୨୧ ପାରା ସ୍ପେଶାଲ ଫୋର୍ସ ଗୁଳି ଚଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଦୁଇଟି ସେନା ଗାଡ଼ି ପୋଡ଼ିଦେଇଥିଲେ। ସେମାନଙ୍କୁ ତଡ଼ିବା ପାଇଁ ଯବାନମାନେ ଗୁଳି ଚଳାଇବାରୁ ଆଉ ୭ ସ୍ଥାନୀୟ ଲୋକଙ୍କ ସମେତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା।

Share