Categories: ଜାତୀୟ

‘ପଞ୍ଜାବ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କେନ୍ଦ୍ର’

ଡେରାଡୁନ,୧।୧୦: ଅମିତ୍‌ ଶାହାଙ୍କ ଭଳି ଭାଜପା ନେତାଙ୍କ ସହ ଅମରିନ୍ଦର ସିଂଙ୍କ ଘନିଷ୍ଠତା ତାଙ୍କ ଧର୍ମନିରପେକ୍ଷ ବିଶ୍ୱସନୀୟତା ପ୍ରତି ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଶୁକ୍ରବାର ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ ଶୁକ୍ରବାର କହିଛନ୍ତି। ଏହା ସହ ପଞ୍ଜାବର ସଂଖ୍ୟାଗରିଷ୍ଠ କଂଗ୍ରେସ ସରକାରର ପତନ ଘଟାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରିବା ଅନୁଚିତ ବୋଲି ରାଓ୍ବତ୍‌ ଚେତାଇ ଦେଇଛନ୍ତି।
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ୍‌ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ସେ ଆଦର୍ଶଗତ ସମାନତା ନ ଥିବା ଲୋକଙ୍କ ହାତରେ ଖେଳୁଛନ୍ତି। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଅମରିନ୍ଦର କଂଗ୍ରେସ ନେତୃତ୍ୱ ସହ ଛିଡ଼ାହେବା ଉଚିତ ଥିଲା। ଅମରିନ୍ଦର ନିଜ ଫାର୍ମହାଉସ୍‌ରୁ ଉଭୟ ସରକାର ଓ ଦଳକୁ ନିୟନ୍ତ୍ରଣ କରୁଥିଲେ। ସେକ୍ରେଟାରିଏଟ୍‌ରୁ ଅନୁପସ୍ଥିତି ନେଇ କେହି ତାଙ୍କୁ ପ୍ରଶ୍ନ ମଧ୍ୟ କରୁ ନ ଥିଲେ। ଏସବୁକୁ ନେଇ ରାଜ୍ୟରେ ଧାରଣା ସୃଷ୍ଟି ହୋଇଛି ଯେ, ଅମରିନ୍ଦର ଓ ଶିରୋମଣି ଅକାଳୀ ଦଳର ସୁଖବୀର ସିଂ ବାଦଲ ପରସ୍ପରକୁ ସହଯୋଗ କରୁଛନ୍ତି। ଏନେଇ କ୍ୟାପ୍‌ଟେନ ସାହେବଙ୍କ ସହ ୫ ଥର ଆଲୋଚନା ହୋଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଏପରି କି ସେ ମୋ ପରାମର୍ଶ ନେବାକୁ ମଧ୍ୟ ଉଚିତ ମଣି ନ ଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଅନ୍ୟ କେତେଜଣ ଭାଜପା ନେତାଙ୍କ ସହ ସେ ମିଶୁଥିବାରୁ ତାଙ୍କ ଧର୍ମନିରପେକ୍ଷ ବିଶ୍ୱସନୀୟତା ଏବେ ସନ୍ଦେହ ଘେରରେ। କଂଗ୍ରେସ ଅମରିନ୍ଦରଙ୍କୁ ଅପମାନ କରିନାହିଁ, ବରଂ ସବୁବେଳେ ସମ୍ମାନ ଦେଇଆସିଛି। କେନ୍ଦ୍ର ପଞ୍ଜାବ ସରକାରକୁ ଭାଙ୍ଗିବାକୁ ଉଦ୍ୟମ ନ କରୁ।

Share