ନୂଆଦିଲ୍ଲୀ,୧।୯: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରିହାତି ଦରରେ କେନ୍ଦ୍ର ସରକାର ଡାଲି ଯୋଗାଇ ଦେବେ ବୋଲି ଜଣାପଡିଛି। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏପରିକି କେନ୍ଦ୍ର ସରକାର ମୂଲ୍ୟ ସମର୍ଥନ ଯୋଜନା (ପିଏସ୍ଏସ୍) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସ୍ଏଫ୍) ଅଧୀନରେ କିଣାଯାଇଥିବା ଡାଲିରୁ ରାଜ୍ୟଗୁଡ଼ିକୁୁ ଚଣା ଡାଲି ଯୋଗାଇବେ ବୋଲି କୁହାଯାଇଛି। ଉକ୍ତ ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅପରପକ୍ଷରେ ବିରି, ହରଡ଼ ଓ ମସୁର ଭଳି ଡାଲି ପାଇଁ ପିଏସ୍ଏସ୍ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।