Categories: ଜାତୀୟ

କେନ୍ଦ୍ରର ଫମ୍ପା ବିକାଶ ପଦାରେ ପଡ଼ିଲା: କଂଗ୍ରେସ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି-୨୦ ସମିଟ୍‌ ଆୟୋଜନ ସ୍ଥଳ ନବନିର୍ମିତ ଭାରତ ମଣ୍ଡପମ୍‌ରେ ପାଣି ଜମିଥିବାର ଭିଡିଓ ଶେୟାର କରି କେନ୍ଦ୍ର ସରକାରଙ୍କ ଫମ୍ପା ବିକାଶ ପଦାରେ ପଡ଼ିଲା ବୋଲି ରବିବାର କଂଗ୍ରେସ କହିଛି। ଉକ୍ତ ଭିଡିଓରେ ପାଣି ଜମିଥିବା କରିଡରରେ ଲୋକେ ଚାଲୁଥିବା ଦେଖିବାକୁ ମିଳିଛି। ୨,୭୦୦ କୋଟି ଟଙ୍କା ବ୍ୟୟରେ ଜି୨୦ ପାଇଁ ନିର୍ମିତ ହୋଇଥିବା ଭାରତ ମଣ୍ଡପମ୍‌ ଗୋଟିଏ ବର୍ଷାରେ ପାଣିରେ ପଡ଼ିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେଠାରୁ ପମ୍ପ୍‌ ଲଗାଇ ପାଣି ଶୁଖାଇବାକୁ ଉଦ୍ୟମ ଚାଲିଛି।

ଏହା ଅନ୍ତର୍ଜାତୀୟ ଜାତୀୟତାବାଦୀ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେ କହିଛନ୍ତି। କେଉଁ ଦୁର୍ନୀତିଗ୍ରସ୍ତ ଲୋକମାନେ ଏଭଳି ନିକୃଷ୍ଟ କାମ କରି ଏତେ ପରିମାଣର ଟଙ୍କା ହଡ଼ପ କଲେ ବୋଲି ସୁପ୍ରିୟା ପ୍ରଶ୍ନ କରିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଟୋଙ୍କ ଜିଲାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତ ମଣ୍ଡପମ୍‌ର ନିମ୍ନମାନର କାମକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି।

Share