ନୂଆଦିଲ୍ଲୀ,୨୬।୧୦ : ଦୀପାବଳି ସଫେଇ ଅଭିଯାନରେ ସଂଗୃହିତ ଅଳିଆ ଏବଂ ଅଦରକାରୀ ସାମଗ୍ରୀରୁ କେନ୍ଦ୍ର ସରକାର ୨୫୪ କୋଟି ଟଙ୍କା ରାଜସ୍ବ ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ସଂଲଗ୍ନ କାର୍ଯ୍ୟାଳୟରୁ ବାହାରିଥିବା ଅଦରକାରୀ ବିକ୍ରୟରୁ ଏହା ମିଳିଛି।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଦୀପାବଳି ପୂର୍ବରୁ ଏହି ସ୍ବଚ୍ଛତା ଅଭିଯାନ ତିନି ସପ୍ତାହ ଧରି ଚାଲିଥିଲା। ଏହା ବ୍ୟତୀତ ୩୭ ଲକ୍ଷ ବର୍ଗଫୁଟ ଜମି ମଧ୍ୟ ଖାଲି କରାଯାଇଛି। ଏସବୁ ଜମିରେ ଅଦରକାରୀ ସାମଗ୍ରୀ ରଖାଯାଇଥିଲା। ବର୍ତ୍ତମାନ ଏହି ଜମିକୁ ଅନ୍ୟ କିଛି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ବିଭାଗ ସ୍ବଚ୍ଛତା ଅଭିଯାନ ଚଳାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହା ଅନ୍ତର୍ଗତ ଅବ୍ୟବହୃତ ଫାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି, ଯାହା ଆଉ ବ୍ୟବହୃତ ହେଉନାହିଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ବଚ୍ଛତା ଅଭିଯାନ ଏକ ଜନ ଆନ୍ଦୋଳନର ରୂପ ନେଇଛି।
ଏହି ସମୟ ମଧ୍ୟରେ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହୋଇଛି ବୋଲି ଜିତେନ୍ଦ୍ର ସିଂ କହିଛନ୍ତି। ସମୁଦାୟ ୪୦ ଲକ୍ଷ ଫାଇଲର ସମୀକ୍ଷା କରାଯାଇଥିଲା। ୩ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ ହୋଇଛି। ଏହା ବ୍ୟତୀତ ୫୮୮ ନିୟମକୁ ହଟାଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସ୍ବଚ୍ଛତା ଅଭିଯାନକୁ ନେଇ ସମସ୍ତ ମନ୍ତ୍ରଣାଳୟରେ ଉତ୍ସାହ ଦେଖିବାକୁ ମିଳିଥିଲା।