୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର ମିଳିତ ଚଢ଼ାଉରେ ଏକ ଚୋରା କେନ୍ଦୁପତ୍ର ଟ୍ରକ୍‌କୁ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର ରାତିରେ ଆଠମଲ୍ଲିକ ଡିଏଫ୍‌ଓ ଏସ୍‌.ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ମାଧପୁର ରେଞ୍ଜର ସଂନ୍ତୋଷ କୁମାର ଭୋଇ ଏବଂ ବାମୁର ରେଞ୍ଜର ସରୋଜ କୁମାର ମିଶ୍ର ନିଜ ନିଜ ଟିମ୍‌ ଧରି ସଦଳବଳ ଏହି ଚଢ଼ାଉ କରିଥିଲେ। ଚୋରା କେନ୍ଦୁପତ୍ର ସହିତ ଟ୍ରକ୍‌କୁ ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟକୁ ପଠାଯାଇଥିବା ବେଳେ ଚୋରା କେନ୍ଦୁପତ୍ରର ପରିମାଣ ୭୦ କୁଇଣ୍ଟାଲରୁ ଊଦ୍ଧର୍‌ବ ଏବଂ ଅନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଊଦ୍ଧର୍‌ବ ହେବ ବୋଲି ମାଧପୁର ରେଞ୍ଜର ସନ୍ତୋଷ କୁମାର ଭୋଇ ସୂଚନା ଦେଇଛନ୍ତି।

Share