ଭୁବନେଶ୍ୱର,୧୬।୧(ବ୍ୟୁରୋ): ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ନରେନ୍ଦ୍ର ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏଶନ(ଆଇଏସ୍ଏ) ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ‘ଇସ୍ପାତ ନିର୍ମାଣ ଏବଂ ଭିତ୍ତିଭୂମି ପାଇଁ ନୂଆ ସୁଯୋଗ’ ଶୀର୍ଷକ ଆଲୋଚନାଚକ୍ରରେ ଧର୍ମେନ୍ଦ୍ର ଏହା କହିଛନ୍ତି। ଇସ୍ପାତ୍ ଶିଳ୍ପକୁ ରପ୍ତାନି କେନ୍ଦ୍ରିକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ୍-୧୯ ଆମ ପାଇଁ ଚ୍ୟାଲେଞ୍ଜ୍ ଆଣିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି। ରାସ୍ତା, ରେଳ, ଘର ନିର୍ମାଣ ହେଉ କିମ୍ବା ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ଅଧିକ ମଜଭୁତ୍ କରାଯାଇଛି। ଆତ୍ମନିର୍ଭର ଭାରତରେ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଦେଶର ସାମଗ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଇସ୍ପାତ୍ କ୍ଷେତ୍ର ପାଇଁ ନୂଆ ସୁଯୋଗ ଆଣିଦେଇଛି। ଦେଶରେ କରୋନା ଟିକା ପ୍ରସ୍ତୁତି ହେବା ଭାରତର ଆଉ ଏକ ପ୍ରତିଭାର ଉଦାହରଣ। ଏହାସହ ଦେଶରେ ଅଧିକ ଇସ୍ପାତର ବ୍ୟବହାର ଦ୍ୱାରା ସମାଜକୁ ବୃହତ୍ ଭାବରେ ଶକ୍ତି ପ୍ରଦାନ କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।