ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଲାଗି ମିଳିଲା ମଞ୍ଜୁରୀ, ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ହେବ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର, ୮।୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିଛି। ସୂଚନାଯୋଗ୍ୟ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷାରେ ରହିଥିଲା। ଏହି ଅନୁମୋଦନ ପରେ ଜିଲାର କୃଷି ଓ କୃଷକଙ୍କ ହିତ ସାଧନ ଲାଗି ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ। ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଅନୁମତି ମିଳିଛି। ଏହାଦ୍ବାରା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩,୦୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।