Categories: ଜାତୀୟ

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆଲୋଚନା କରୁନ୍ତି। ଯାହା ଦ୍ୱାରା ସେମାନଙ୍କର ଅଧ୍ୟୟନ ଜାରି ରହି ପାରିବ। ବିଦେଶୀ ବିଶ୍ୱବିଦ୍ୟାଳୟରୁ ମେଡିକାଲ ପଢ଼ିଥିବା ମେଡିକାଲ ଛାତ୍ରୀଛାତ୍ରମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ସ ପରୀକ୍ଷା (ଏଫ୍‌ଏମ୍‌ଜିଇ) ଦେବାକୁ ପଡ଼ିଥାଏ।ଏହା ଅତ୍ୟନ୍ତ କଠିନ ପରୀକ୍ଷା ଏବଂ ଏହାକୁ ପାଶ କରିବା ସହଜ ନୁହେଁ ।ଏଥିପାଇଁ ଅନେକ ଛାତ୍ର କୋଚିଂ ମଧ୍ୟ ନିଅନ୍ତି, କାରଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ। ଏପରିକି ସେମାନେ ଲାଇସେନ୍ସ ପାଇବେ ନାହିଁ।

ପରିସଂଖ୍ୟାନ ଏହା ମଧ୍ୟ ଦର୍ଶାଏ ଯେ ବିଦେଶରୁ ଆସୁଥିବା କେବଳ ୧୫ ପ୍ରତିଶତ ଛାତ୍ରୀଛାତ୍ର ଏଫଏମଜିଇ ପରୀକ୍ଷା କ୍ଲିୟର କରିବାକୁ ସକ୍ଷମ ହୋଇଥାନ୍ତି। ଅପରପକ୍ଷରେ ୮୫ ପ୍ରତିଶତ ଅସଫଳ ହୋଇଥାନ୍ତି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ନ୍ୟୁନତମ ୫୦ ପ୍ରତିଶତ ନମ୍ବର ରଖିବାକୁ ପଡ଼ିଥାଏ। ପାଶ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତୀୟ ମେଡ଼ିକାଲ ପରିଷଦ ପକ୍ଷରୁ ସ୍ଥାୟୀ ପଞ୍ଜିକରଣ ପ୍ରଦାନ କରାଯାଇଥାଏ।

ୟୁକ୍ରେନ୍‌ ଯୁଦ୍ଧ ସମସ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଭିତ୍ତିରେ ଦେଶର ମେଡିକାଲ କଲେଜଗୁଡ଼ିକ ଏଫ୍‌ଏମ୍‌ଜିଇରେ କିଛି ପରିବର୍ତ୍ତନ ଆଣିବା ପାଇଁ ସରକାର ବିଚାର କରୁଛନ୍ତି। ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟୟନ ଜାରି ରଖିବେ ସେଥିପାଇଁ ଯାହା ସମ୍ଭବ ତାହା କରାଯିବ। ସମସ୍ତଙ୍କୁ ସେମାନଙ୍କର ଅନିଶ୍ଚିତ ଭାଗ୍ୟ ଏବଂ ଭବିଷ୍ୟତରୁ ରକ୍ଷା କରିବା ପାଇଁ ଏହା କେବଳ ଏକ ମହତ୍‌ କାର୍ଯ୍ୟ ହେବ ନାହିଁ, ବରଂ ଏକ ବୃହତ ମାନବିକ ଉଦ୍ଦେଶ୍ୟ ପୂରଣ କରିହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ ଶୀଘ୍ର ନୀତି ଆୟୋଗ ଏବଂ ଅନ୍ୟାନ୍ୟ ଚିକିତ୍ସା ଆୟୋଗଙ୍କ ସହିତ ପରାମର୍ଶ କରିବ। ଏହି ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ସୂଚିତ କରିଛି।

Share