କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୭ ସୂତ୍ରୀ ଯୋଜନା ଉପରେ ଗୁରୁତ୍ୱଦେବାକୁ ଯାଉଛନ୍ତି। କୃଷିକ୍ଷେତ୍ରକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେବାର ଯୋଜନା କରିଛନ୍ତି। ସେହିପରି ମାନୁଫାକଚରିଂ କ୍ଷେତ୍ରରେ ଆତ୍ମନିର୍ଭର ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି। ସର୍ଭିସ୍‌ ସେକ୍ଟରରେ ଇନୋଭେଶନ ଦ୍ୱାରା ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ଷେତ୍ରରେ ଡିଜିଟାଲୀକରଣକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଗ୍ଲୋବାଲ ଭାଲ୍ୟୁ ଚେନ୍‌ରେ ଭାରତର ଆତ୍ମନିର୍ଭରତାକୁ ସୁଦୃଢ଼ କରାଯିବାର ଉଦ୍ୟମ ସରକାରଙ୍କ ପକ୍ଷରୁ ଅବ୍ୟାହତ ରହିଛି। ନିବେଶ ସୁଯୋଗ ବୃଦ୍ଧି ପାଇଁ ଡିଜିଟାଲ ଫାଇନାନ୍ସିଂ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଶ୍ରମିକଙ୍କ କାର୍ଯ୍ୟ କୁଶଳତା ବଢ଼ାଇବା ପାଇଁ ସ୍କିଲିଂ, ଅପ୍‌ ସ୍କିଲିଂ ଏବଂ ରି-ସ୍କିଲିଂ ଆଦି ୩ଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏଭଳି ସ୍ଥିିତିର ମୁକାବିଲା ଲାଗି ହେଲଥ୍‌ କେୟାର ଇକୋସିଷ୍ଟମ୍‌ ଉପରେ ଗୁରୁତ୍ୱାରୋପ କରାଯିବ। ଏହାଦ୍ୱାରା ଭାରତ ହେଲଥ୍‌ କେୟାର କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଉଛି।

Share