Categories: ଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଗୁଆ ଅବସର ଦିଆଯାଇପାରିବ

ନୂଆଦିଲ୍ଲୀ,୩ା୯:ଜନସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଚାହିଁଲେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଆଗୁଆ ଅବସର ଦେଇପାରିବେ ବୋଲି ବୁଧବାର ସ୍ପଷ୍ଟ କରିଦେଇନ୍ତି। କର୍ମଚାରୀଙ୍କୁ ୫୦/୫୫ ବର୍ଷ ହେଲେ କିମ୍ବା ସେ ଚାକିରିରେ ୩୦ ବର୍ଷ ପୂରଣ କରିଥିଲେ, ସେମାନଙ୍କୁ ଅବସର ଦିଆଯାଇପାରିବ। ଏଥିପାଇଁ ସେମାନଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ ନାହିଁ, ଯାହା କି ପେନ୍‌ସନ ନିୟମ ପାଇଁ ଜରୁରୀ। ତେବେ ଏଫ୍‌ଆର୍‌ ୫୬(ଜେ) ଏବଂ ସିସିଏସ୍‌ (ପେନ୍‌ସନ)ନିୟମାବଳୀ, ୧୯୭୨ର ରୁଲ୍‌ ୪୮ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀମାନେ ଚାକିରିରେ ରହିବାକୁ ଯୋଗ୍ୟବିବେଚିତ ହେବେ, ସେମାନଙ୍କୁ ଅବଶିଷ୍ଟ ଚାକିରିର ଯେକୌଣସି ସମୟରେ ଅଧିକ ସମୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂର୍ବର ମୌଳିକ ନିୟମ ୫୬(ଜେ)/୧ ଏବଂ ସିସିଏସ୍‌(ପେନସନ) ନିୟମାବଳୀ, ୧୯୭୨ର ରୁଲ୍‌ ୪୮ରେ ନିର୍ଦ୍ଦେଶନାମାର ବ୍ୟାଖ୍ୟାରେ ରହିଥିବା ଅସ୍ପଷ୍ଟତା ଦୂର କରିବା ନୂଆ ନିୟମର ଉଦ୍ଦେଶ୍ୟ ବୋଲି ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।
ପୁରୁଣା ନିୟମରେ ଜଣେ କର୍ମଚାରୀଙ୍କୁ ୫୦ କିମ୍ବା ୫୫ ବର୍ଷ ହୋଇଥିଲେ କିମ୍ବା ଚାକିରିରେ ୩୦ ବର୍ଷ ସମ୍ପୂର୍ଣ୍ଣ କଲାପରେ ସେ ସେବାରେ ରହିବେ ଅଥବା ଜନସ୍ବାର୍ଥ ଦୃଷ୍ଟିରୁ ଅବସର ନେବେ ସେନେଇ ତାଙ୍କ ପ୍ରଦର୍ଶନର ସମୀକ୍ଷା କରାଯାଇଥାଏ। ପ୍ରକାଶ ଯେ, ଏହା ପୂର୍ବରୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଆଗୁଆ ଅବସର ପ୍ରଦାନ ନିମନ୍ତେ ସେମାନଙ୍କ ପ୍ରଦର୍ଶନକୁ ନେଇ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି।

Share