Categories: ଜାତୀୟ

ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନାରେ ମଧ୍ୟସ୍ଥତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୧୦ : ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ। ଏହା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କୁ ତାଗିଦ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଏଭଳି କହିଛନ୍ତି।

ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ପଞ୍ଜାବକୁ ଦିଆଯାଇଥିବା ଜମି ଉପରେ କେନ୍ଦ୍ର ସରକାର ସର୍ଭେ କରିବା ଉଚିତ। ଜାନୁଆରୀ ୨୦୨୪ରେ କୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବେ। କେନାଲ ନିର୍ମାଣ ପାଇଁ ପଦକ୍ଷେପ ନ ନେଇ କୋର୍ଟ ପଞ୍ଜାବ ସରକାରଙ୍କୁ ମଧ୍ୟ ତାଗିଦ କରିଛନ୍ତି। ଏହି ମାମଲାରେ ସହଯୋଗ କରିବାକୁ କୋର୍ଟ ପଞ୍ଜାବ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ୨୮ ଜୁଲାଇ ୨୦୨୦ ରେ ସତଲେଜ ଯମୁନା କେନାଲ ଲିଙ୍କ ବିବାଦର ଶୁଣାଣି ବେଳେ କୋର୍ଟ ପଞ୍ଜାବ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଏହି ବିବାଦର ସମାଧାନ କରିବାକୁ କହିଥିଲେ।

୧୯୬୬ ମସିହାରେ ପଞ୍ଜାବକୁ ଭାଗ କରି ହରିୟାଣା ରାଜ୍ୟ ଗଠନ କରାଯାଇଥିଲା। ୧୯୮୧ ମସିହାରେ ଜଳ ବଣ୍ଟନ ସମ୍ପର୍କରେ ଦୁଇ ରାଜ୍ୟ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ ସତଲେଜ ଯମୁନା କେନାଲ ଲିଙ୍କ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ଉଭୟ ରାଜ୍ୟ ନିଜ ନିଜ ଅଞ୍ଚଳରେ କେନାଲ ନିର୍ମାଣ କରିଥିଲେ। ହରିୟାଣା ନିଜ ଅଞ୍ଚଳରେ କେନାଲ ନିର୍ମାଣ କରିଥିବାବେଳେ ପଞ୍ଜାବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ପଦକ୍ଷେପ ନେଇଛି।

କେବଳ ଏତିକି ନୁହେଁ, ୨୦୦୪ ମସିହାରେ ପଞ୍ଜାବ ଏକ ନିୟମ ପ୍ରଣୟନ କରି ଏହି ଚୁକ୍ତିନାମାକୁ ବାତିଲ କରିଦେଇଥିଲା। ୨୦୧୬ମସିହାରେ ସୁପ୍ରିମକୋର୍ଟ ପଞ୍ଜାବର ଏହି ଆଇନକୁ ବାତିଲ କରିଦେଇଥିଲେ। ପରେ ପଞ୍ଜାବ କେନାଲ ନିର୍ମାଣ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ଚାଷୀଙ୍କୁ ଫେରସ୍ତ କରି ବିବାଦକୁ ବଢ଼ାଇଥିଲା।

Share