ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ତନାଘନା

ରାୟଗଡ଼ା ଅଫିସ,୨୯ା୧୨: ପାଭେଲ ଏବଂ ବିଦାନୋଭଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଲିବାକୁ ରାୟଗଡ଼ାରେ ପହଞ୍ଚିଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା।

ସୂଚନା ଅନୁସାରେ, ଗୁରୁବାର ସକାଳେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି। ରାୟଗଡ଼ା ଟାଉନ ଥାନା ଯାଇ ସେଠାରେ ମଧ୍ୟ ନଥିପତ୍ର ଯାଞ୍ଚ କରିଥିଲେ। ବିଦାନୋଭଙ୍କ ମୃତ୍ୟୁକୁ ବିଶେଷ ଗୁରୁତ୍ୱ ଦେଉ ନ ଥିବା ବେଳେ ପାଭେଲ ରୁଷିଆର ଜଣେ ଧନୀ ବ୍ୟବସାୟୀ ସହ ଏବଂ ଏମ୍‌ପି। ଅନ୍ୟ ପଟେ ରୁଷିଆ – ୟୁକ୍ରେନ ଯୁଦ୍ଧକୁ ନେଇ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କଡ଼ା ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ। ସେ ରୁଷିଆରୁ ସୁଦୂର ରାୟଗଡ଼ା ଆସି ମୃତ୍ୟୁବରଣ କରିବା ଏବଂ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ପୋଲିସ ପୋତିବା ବଦଳରେ ପୋଡ଼ିଦେବା ଘଟଣା ବର୍ତ୍ତମାନ ପୋଲିସର ତଦନ୍ତକୁ ସନ୍ଦେହ ଘେରକୁ ଆଣିଛି। ଅପରପକ୍ଷେ ପାଭେଲଙ୍କ ସହ ଆସିଥିବା ଅନ୍ୟ ଦୁଇ ଦମ୍ପତି ତୁରୋଭ ମିଖାଇଲ, ପାନାସେଙ୍କୋ ନତାଲିଆ ଏବଂ ତାଙ୍କ ଗାଇଡ୍‌ ଜିତେନ୍ଦ୍ର ସିଂଙ୍କୁ ଅଟକ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି। ହେଲେ ଏହି ତଦନ୍ତ କେତେ ନିରପେକ୍ଷ ହେବ ଏବଂ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ନ ନାହିଁ ତାହା ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Share