ସଂସ୍କୃତରେ ଅରୁଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୪ଟି ଆଞ୍ଚଳିକ ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଓ ସଂସ୍କୃତ ଭାଷାରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଅରୁଣ ରଞ୍ଜନ ମିଶ୍ରଙ୍କୁ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ। ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ। ୨୦୨୪ ମାର୍ଚ୍ଚ ୧୨ରେ ଏହି ପୁରସ୍କାର ଦିଆଯିବା ନେଇ ସୂଚନା ଦିଆଯାଇଛି। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ୨ଜଣ ଲେଖକଙ୍କୁ ପୁରସ୍କାର ମିଳିବା ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ। ସାହିତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଉଭୟଙ୍କ ସଫଳତା କାମନା କରିଥିଲେ। ଖୋର୍ଦ୍ଧା ଜିଲା ହଳଦିଆ ଭଗବାନପୁର ଶାସନରେ ଜନ୍ମିତ ମିଶ୍ରଙ୍କର ଜନ୍ମ। ଏବେ ସେ ଶାନ୍ତି ନିକେତନରେ ସଂସ୍କୃତ, ପାଲି ଓ ପ୍ରାକୃତ ଭାଷା ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୪ଗୋଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କ ରଚିତ ପୁସ୍ତକ ଶୂନ୍ୟେ ମେଘଗାନମ୍‌ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।

Share