ଦେଶାନ୍ତରୀଙ୍କ ମୃତ୍ୟୁ ପଥ ପାଲଟିଛି ଭୂମଧ୍ୟସାଗର

କାଏରୋ,୧୭ା୧୨: ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ଜାହାଜ ବୁଡ଼ି ୬୧ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ରବିବାର ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷେ କେନ୍ଦ୍ରୀୟ ଭୂମଧ୍ୟସାଗର ଏବେ ବି ଦେଶାନ୍ତରୀଙ୍କ ପାଇଁ ବିଶ୍ୱର ଅନ୍ୟତମ ବିପଜ୍ଜନକ ଜଳପଥ ବୋଲି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଆଇଓଏମ୍‌ ପକ୍ଷରୁ ଏକ ପୋଷ୍ଟ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲିବ୍ୟା ରାଜଧାନୀ ତ୍ରିପୋଲିରୁ ୧୧୦ କି.ମି. ଦୂର ଜ୍ୱାରା ସହରରୁ ୮୬ ଲୋକଙ୍କୁ ନେଇ ଜାହାଜଟି ୟୁରୋପ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଜାହାଜ ବୁଡ଼ି ଯିବାରୁ ୬୧ ପ୍ରବାସୀଙ୍କ ମୃତ୍ୟୁ ଘଟିଛି।

ଏହା ପୂର୍ବରୁ ଗତ ଜୁନ୍‌ରେ ଏକ ମାଛଧରା ବୋଟ୍‌ରେ ଶତାଧିକ ପ୍ରବାସୀ ଲିବ୍ୟାର ତୋବ୍ରୁକ୍‌ରୁ ବୁହାହୋଇ ଇଟାଲୀ ଯାଉଥିବାବେଳେ ଗ୍ରୀସ୍‌ ନିକଟରେ ବୁଡ଼ିଯାଇଥିଲା। ଏଥିରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫୧୮ ପ୍ରବାସୀ ନିଖୋଜ ହୋଇଯାଇଥିଲେ।

 

Share