Categories: ଗଞ୍ଜାମ

ବନ୍ଦ ଘରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, ୨୧।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ରବିବାର ରେଗିଡି ସାହିର ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ଉତ୍ତରପ୍ରଦେଶର ରାମ କୁଲଭର ରାମ। ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ଘର ମାଲିକ ପୋଲିସକୁ ଖବର ଦେଇଥିଲେ। ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ହିଞ୍ଜିଳି ପୋଲିସ ବନ୍ଦ ଘରର କବାଟ ତାଡ଼ି ଶିକ୍ଷକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ମୃତ ଶିକ୍ଷକଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।