ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ: ଖୁବ୍‌ଶୀଘ୍ର କେରଳ ଯିବ କେନ୍ଦ୍ରୀୟ ଟିମ୍‌

ଥିରୁଭାନ୍ତମପୁରମ,୨୮।୭: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ଏବେ କେରଳ ଚିନ୍ତା ବଢ଼ାଇଛି। ଲଗାତର ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଟିମ୍‌କୁ କେରଳ ପଠାଇବାକୁ ଯୋଜନା କରୁଛନ୍ତି। ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଟିମ୍‌ କେରଳ ଯିବାକୁ ଥିବା ବେଳେ ଏହି ଟିମ୍‌ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହି ଟିମ୍‌ ରାଜ୍ୟରେ ବିଶେଷ ଭାବେ ପରୀକ୍ଷଣ, ନୀରିକ୍ଷଣ କରିବା ସହ ଓ କୋଭିଡ-୧୯ ବିରୋଧରେ ନିଆଯାଇଥିବା ପଦକ୍ଷେପର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ହସ୍ପିଟାଲରେ ବେଡ୍‌ ସ୍ଥିତି, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ହସ୍ପିଟାଲରେ ଅକ୍ସିଜେନ ଓ ଟିକାକରଣ ସ୍ଥିତି ଉପରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୫୦ଦିନ ପରେ କେରଳରେ ୨୨ହଜାର ୧୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୫୬ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ସବୁଠାରୁ ଅଧିକ କରୋନା ଓ ମୃତ୍ୟୁ ମାମଲା କେରଳରେ ରହିଛି। କେରଳର ୭ଟି ଜିଲାରେ ଲଗାତର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share