
କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି ୪ ବ୍ଲକର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ୍ ଆୱାର୍ଡ ପାଇଁ ଆକଳନ କରୁଛନ୍ତି। ଟିମ୍ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ନିର୍ଦ୍ଦେଶକ ବିକାଶ ସିଂ ରହିଛନ୍ତି। ପିଏମ୍ ସୂର୍ଯ୍ୟ ଘର, ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ଆଦି ୭ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍ କୋରାପୁଟ ଆରଏସ୍ଇଟିଆଇ ଯାଇ ସେଠାରେ ପିଏମ୍ ବିଶ୍ୱକ୍ରମା ହିତାଧିକାରୀ, ସରପଞ୍ଚ ଓ ପୋଷ୍ଟାଲ ଅଧିକାରୀଙ୍କ ଶହ ଆଲୋଚନା କରିଥିଲେ। କୋରାପୁଟ ସହରର ଏକ କାର୍ପେଣ୍ଟର ୟୁନିଟ ବୁଲିବା ଶହ ହିତାଧିକାରୀଙ୍କ ଆଲୋଚନା କରିଥିଲେ। ପରେ ଟିମ ସେମିଳିଗୁଡ଼ା ବ୍ଲକର ରାଜପୁଟ ଗ୍ରାମର ଏକ ମିଲେଟ ପ୍ରୋସେସ୍ସିଂ ୟୁନିଟକୁ ବୁଲି ଦେଖିଥିଲେ। ଲୁଙ୍ଗୁରି ଅଙ୍ଗନଓ୍ବାଡି କେନ୍ଦ୍ର, ପାଖଝୋଲା ପଞ୍ଚାୟତ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ଲକ୍ଷ୍ମୀପୁର ବ୍ଲକ୍ର ତୋୟାପୁଟ ଅଙ୍ଗନଓ୍ବାଡି କେନ୍ଦ୍ର, କାର୍ପେଣ୍ଟର ୟୁନିଟ ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଶହ ଆଲୋଚନା କରିଥିଲେ। ସେହିପରି ମାରବାଇଗୁଡ଼ାରେ ଥିବା ସାନିଟେସନ ପାର୍କ, ଲକ୍ଷ୍ମୀପୁର ସିଏଚସି ଓ ପଞ୍ଚଡା ଲ୍ୟାମ୍ପ ପରିଦର୍ଶନ କରି ବିଭିନ୍ନ ଯୋଜନାର ଅନୁଧ୍ୟାନ କରିଥିଲେ। ଦଶମନ୍ତପୁର ବ୍ଲକର କାଉଗୁଡା ଗ୍ରାମରେ ଜିଲା ପ୍ରଶାସନ ଓସିୱାଇଏସଡିର ସହଯୋଗରେ କରାଯାଇଥିବା ଷ୍ଟବେରୀ ଚାଷକୁ ଦେଖିଥିଲେ। ସେଠାରେ ସିୱାଇଏସଡିିର ପ୍ରକଳ୍ପ ଅଧିକାରୀ ଆନନ୍ଦ ମଲ୍ଲିକ ଓ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍ଙ୍କ ଗସ୍ତ ବେଳେ କୋରାପୁଟ ଜିଲାପାଳ ଭି କୀର୍ତ୍ତି ଭାସନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ, କୋରାପୁଟ ବିଡିଓ ଏବଂ ଦଶମନ୍ତପୁର ବିଡିଓଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।