ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ୧୨ ଓ ୧୩ ତାରିଖ ୨ ଦିନ ସେମାନେ ୬ଟି ଜିଲା ଗସ୍ତ କରିବେ। ଗଞ୍ଜାମ, ପୁରୀ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଯାଇ ସେଠାରେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ। ଏହି ଟିମ୍କୁ ୩ଟି ଭାଗ କରାଯାଇଛି। ୩ଟି ଟିମ୍ ଭିନ୍ନ ଭିନ୍ନ ଯାଗାକୁ ଯିବେ। ୧୩ ତାରିଖ ଦିନ ଅପରାହ୍ନ ୪ଟାରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବେ। ପରେ ପରେ ସେମାନେ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ ସମୁଦ୍ରରେ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଗତ ୫ ଓ ୬ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଓଡ଼ିଶାରେ ବିଶେଷ କରି ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା।