Categories: ଜାତୀୟ

ଅଗଷ୍ଟ ୫ରୁ ୧୫ ଦେଶର ସମସ୍ତ ଐତିହ୍ୟ ସ୍ମାରକୀରେ ମାଗଣା ପ୍ରବେଶ

ନୂଆଦିଲ୍ଲୀ,୩।୮: ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୫ରୁ ଏହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ପର୍ଯ୍ୟଟକମାନେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ମାଗଣା ପ୍ରବେଶ କରିପାରିବେ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବୁଧବାର ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସୁରକ୍ଷିତ ସମସ୍ତ ସ୍ମାରକୀ ଏବଂ ସ୍ଥାନଗୁଡିକରେ ମାଗଣା ପ୍ରବେଶ ଘୋଷଣା କରାଯାଇଛି। ଭାରତ ସ୍ବାଧୀନତାର ୭୫ ବର୍ଷ ସ୍ମୃତି ଉଦ୍ଦେଶ୍ୟରେ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଏହା କରାଯାଉଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ ଟୁଇଟ୍‌ରେ କହିଛନ୍ତି, ଅମୃତ ମହୋତ୍ସବ ତଥା ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ୫ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀ କିମ୍ବା ସ୍ଥାନଗୁଡିକରେ ମାଗଣା ପ୍ରବେଶ କରିପାରିବେ।

Share