ଶେଷରେ ମାନିଲେ ସରକାର: ଅକ୍ସିଜେନ ଅଭାବରୁ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ,୧୧।୮: କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେତେକଙ୍କ ମୃତ୍ୟୁ ହୋଇଛି ବୋଲି ଶେଷରେ ସରକାର ମାନିଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ସୂଚନା ଦିଆଯାଇଛି। ସରକାରଙ୍କ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ସହାୟତାରେ ଥିବା କେତେକ ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିଲା। ତେବେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏହା ନିଜେ ସ୍ବୀକାର କରିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ସମୟରେ ଦେଶରେ ଅକ୍ସିଜେନ ଅଭାବରୁ ରୋଗୀମାନେ ପ୍ରାଣ ହରାଇଛନ୍ତି। ଏନେଇ ଚଳିତ ବର୍ଷ ଅଗଷ୍ଟ ୯ରେ ଆନ୍ଧ୍ରପ୍ରଦେଶ ସରକାର କେନ୍ଦ୍ରକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଯାହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାର୍ଲାମେଣ୍ଟରେ ସୂଚନା ରଖିଛି। ପାର୍ଲାମେଣ୍ଟରେ ସରକାର ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁଯାୟୀ, ଚଳିତ ବର୍ଷ ମେ’୧୦ରେ ଏସ୍‌ଭିଭିଆରଆର ହସ୍ପିଟାଲରେ କେତେକ ରୋଗୀ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଅକ୍ସିଜେନ ଟ୍ୟାଙ୍କ ଏବଂ ବ୍ୟାକଅପ୍‌ ସିଷ୍ଟମରେ ପରିବର୍ତ୍ତନ ମଧ୍ୟରେ ଅକ୍ସିଜେନ ଲାଇନର ପ୍ରେସର ଦୁର୍ବଳ ହୋଇଥିଲା। ଯେଉଁଥିପାଇଁ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୂର୍ବରୁ କେନ୍ଦ୍ର ସରକାର ଏନେଇ ପାର୍ଲାମେଣ୍ଟରେ ନିଜର ବୟାନ ରଖିଥିଲେ। ସେହି ସମୟରେ ସେ କହିଥିଲେ, ରାଜ୍ୟ ସରକାର ଦେଇଥିବା ତଥ୍ୟରେ କେଉଁଠି ବି ଉଲ୍ଲେଖ କରାଯାଇନାହିଁ ଯେ, ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ।

Share