ନୂଆଦିଲ୍ଲୀ,୪ା୧୦(ପି.ଟି.): କେନ୍ଦ୍ର ସରକାର ମଙ୍ଗଳବାର ନ୍ୟାଶନାଲ ଲିବରେଶନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍ଏଲ୍ଏଫ୍ଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ୍)କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ୨ ଉଗ୍ରପନ୍ଥୀ ସଙ୍ଗଠନ ଓ ଏହା ସହ ଅନୁବନ୍ଧିତ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ ୫ ବର୍ଷ ପାଇଁ ନିଷିଦ୍ଧାଦେଶ ଜାରି କରାଯାଇଛି। ଏନ୍ଏଲ୍ଏଫ୍ଟି ଏବଂ ଏଟିଟିଏଫ୍ ଭାରତ ଭିତରେ ଏକ ଭିନ୍ନ ରାଷ୍ଟ୍ର ଗଠନ ଦାବି ପାଇଁ କାର୍ଯ୍ୟକଳାପ ଜାରି ରଖିଛନ୍ତି। ବିଧ୍ୱଂସକ କାର୍ଯ୍ୟକଳାପରେ ଲିପ୍ତ ରହି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ୨ ସଙ୍ଗଠନ ଉପରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।