Categories: ଜାତୀୟ

ସ୍ଥିତି ଅନୁଧ୍ୟାନ ଲାଗି ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୧।୮: ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ସରକାର ଅଧିକ ସଜାଗ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖିବା ଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସଂକ୍ରମଣ ରୋକିବା ଲାଗି କ’ଣ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ଟାସ୍କଫୋର୍ସ ନିଷ୍ପତ୍ତି ନେବ। ଦେଶରେ ନିଦାନ ସୁବିଧା ବଢ଼ାଇବା, ମଙ୍କିପକ୍ସ ପାଇଁ ଟିକା ପ୍ରସ୍ତୁତି ଆଦି ସମ୍ପର୍କରେ ଟାସ୍କଫୋର୍ସ ସରକାରଙ୍କୁ ଗାଇଡ୍‌ଲାଇନ ଦେବ। ଟାସ୍କଫୋର୍ସ ଗଠନ ଲାଗି ଗତ ୨୬ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ। ମଙ୍କିପକ୍ସ ସଂକ୍ରମଣ ସମ୍ପର୍କରେ ଠିକ୍‌ ସମୟରେ ରିପୋର୍ଟ କରିବା, ରୋଗ ଚିହ୍ନଟ ଓ ପରିଚାଳନା ଦିଗରେ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ଏବଂ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ କାର୍ଯ୍ୟ କରିବାକୁ କୁହାଯାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଲାବରୋଟୋରି ନେଟ୍‌ଓ୍ବର୍କକୁ ମଙ୍କିପକ୍ସ ରୋଗ ଚିହ୍ନଟ ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ କେରଳରେ ମଙ୍କିପକ୍ସ ଲକ୍ଷଣ ଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ସେ ମଙ୍କିପକ୍ସ ସଂକ୍ରମିତ ଥିଲେ ବୋଲି ସୋମବାର ସ୍ପଷ୍ଟ ହୋଇଛି। ସେ ଗତ ୨୨ ତାରିଖରେ ୟୁଏଇରୁ ଫେରିଥିଲେ। ତାଙ୍କ ନମୁନ ପରୀକ୍ଷାରୁ ମଙ୍କିପକ୍ସ ପଜିଟିଭ୍‌ ଜଣାପଡ଼ିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ ୫ଜଣ ସଂକ୍ରମିତ ହୋଇଛନ୍ତି।

Share