Categories: ଜାତୀୟ

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ କେତେକ କଟକଣା କୋହଳ କରାଯାଇଥିବା ବେଳେ ଆଉ କେତେକ କଡ଼ାକଡ଼ି କରାଯାଇଛି। ଏଣିକି ବିମାନ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଖାଦ୍ୟ ପରଷିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଯାତ୍ରୀଙ୍କୁ ପ୍ୟାକିଂ ହୋଇଥିବା ସ୍ନାକ୍ସ, ମିଲ୍‌ ଓ ପାନୀୟ ଜଳ ଯୋଗାଇଦିଆଯିବ। କ୍ର୍ୟୁ ମେମ୍ବରମାନେ ପ୍ରତ୍ୟେକ ମିଲ୍‌ ଓ ପାନୀୟ ସେବା ପାଇଁ ଏକ ନୂଆ ଗ୍ଲୋଭସ୍‌ ସେଟ୍‌ ପରିଧାରଣ କରିବା ବାଧ୍ୟତାମୂଳକ ରହିବ।

କେବଳ ସେତିକି ନୁହେଁ କରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଯାତ୍ରା ସମୟରେ ଯେଉଁ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବେ ସେମାନଙ୍କୁ ବିମାନ କମ୍ପାନୀ ଦ୍ୱାରା ନୋ-ଫ୍ଲାଇ ତାଲିକାଭୁକ୍ତ କରାଯିବ। ଏନେଇ ‘ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ’(ଡିଜିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଯାତ୍ରୀ ‘ନୋ-ଫ୍ଲାଇ’ ତାଲିକାଭୁକ୍ତ ହେବେ ତାହା କ୍ୟାବିନ କ୍ରୁ’ଙ୍କ ରିପୋର୍ଟକୁ ମୂଲ୍ୟାୟନ କରି ନିର୍ଦ୍ଧାରଣ କରାଯିବ। ଖାଇବା, ପିଇବା କିମ୍ବା ଅନ୍ୟକୌଣସି କାରଣ ଲାଗି ଯଦି ଯାତ୍ରୀମାନେ ମାସ୍କ କାଢ଼ନ୍ତି ତେବେ ତାହା କ୍ଷମଣୀୟ। କିନ୍ତୁ, ଜାଣିଶୁଣି ବିନା କୌଣସି କାରଣରେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ତାଙ୍କ ବିରୋଧରେ ‘ନୋ-ଫ୍ଲାଇ’ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

Share