ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି। ଗ୍ରାହକଙ୍କୁ ପ୍ରଲୋଭିତ କରୁଥିବା ବ୍ୟବସାୟିକ ବିଜ୍ଞାପନକୁ ନିୟନ୍ତ୍ରଣ କରିବା ଲାଗି କେତେକ ସର୍ତ୍ତ ରଖାଯାଇଛି। ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂ ଏବଂ ଅତିରିକ୍ତ ସଚିବ ନିଧବ ଖାରେ ଏକ ଖବରଦାତା ସମ୍ମିଳନୀରେ ଉକ୍ତ ଗାଇଡ୍ଲାଇନ ପ୍ରକାଶ କରିଛନ୍ତି। ବିଜ୍ଞାପନ ଦେଉଥିବା ଉତ୍ପାଦନକାରୀ, ସେବା ପ୍ରଦାନକାରୀ, ବ୍ୟବସାୟୀ ଏବଂ ବିଜ୍ଞାପନ ଏଜେନ୍ସିଗୁଡ଼ିକ ପାଇଁ ଏହି ଗାଇଡ୍ଲାଇନ କାର୍ଯ୍ୟକାରୀ ହେବ।