Categories: ଜାତୀୟ

ଆଇନ ପ୍ରତ୍ୟାହାରକୁ କେନ୍ଦ୍ରର ନା

ନୂଆଦିଲ୍ଲୀ, ୯।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଦେଢ଼ ମାସ ହେଲା ଜାରି ରହିଥିବାବେଳେ ଶୁକ୍ରବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। କୃଷି ଆଇନ ପ୍ରତ୍ୟାହାର ହେବନି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଅଟଳ ରହିବାରୁ ଆନ୍ଦୋଳନ ଜନିତ ଅଚଳାବସ୍ଥା ଦୂର କରିବା ଲାଗି କୌଣସି ସମାଧାନ ସୂତ୍ର ବାହାରି ପାରିଲାନି ବୋଲି ବୈଠକ ଶେଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
ସରକାର ୩ ବିବାଦୀୟ ଆଇନ ପ୍ରତ୍ୟାହାର କଲା ପରେ ସେମାନେ ଆନ୍ଦୋଳନ ସ୍ଥଳରୁ ଘରକୁ ଫେରିବେ ବୋଲି ଚାଷୀ ନେତାମାନେ ରୋକଠୋକ୍‌ ଶୁଣାଇଥିଲେ। ତେବେ ସରକାର ଆଇନ ପ୍ରତ୍ୟାହାର କରିବାକୁ ମନା କରିବା ସହ ଏହାର କେତେକ ଧାରାରେ ସଂଶୋଧନ କରିବାକୁ ଚାହାନ୍ତି ବୋଲି କହିଥିଲେ। ଦେଶର ଅଧିକାଂଶ ସଂଗଠନ କୃଷି ସଂସ୍କାରକୁ ସମର୍ଥନ କରୁଥିବାରୁ ଆଇନ ପ୍ରତ୍ୟାହାର ହେବନି ବୋଲି ତୋମାର କହିଛନ୍ତି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷିମନ୍ତ୍ରୀ ତୋମାରଙ୍କ ସମେତ ରେଲଓ୍ବେ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପଞ୍ଜାବ ଏମ୍‌ପି ସୋମ ପ୍ରକାଶ ଏବଂ ଚାଷୀ ସଂଗଠନରୁ ୪୧ ଜଣ ପ୍ରତିନିଧି ଯୋଗଦେଇଥିଲେ। ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ୧୫ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ କରିବାକୁ ସ୍ଥିର ହୋଇଛି। ସେଦିନ କୃଷକ ନେତାମାନେ ବିକଳ୍ପ ପ୍ରସଙ୍ଗରେ ଆଲୋଚନା କରିବା ନେଇ ସରକାର ଆଶାବାଦୀ ଅଛନ୍ତି।
ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ପିଟିଶନର ବିଚାର ଚାଲିଥିବାବେଳେ ଚାଷୀମାନଙ୍କୁ ଅଦାଲତ ଯିବା ଲାଗି ସରକାର ପ୍ରସ୍ତାବ ଦେଲେ କି ବୋଲି ପ୍ରଶ୍ନ ହେବାରୁ ତୋମାର ମନା କରିଥିଲେ। ତେବେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେବେ ସରକାର ତାହାକୁ ମାନିନେବେ ବୋଲି ସେ କହିଥିଲେ। ସୁପ୍ରିମକୋର୍ଟରେ ୧୧ ତାରିଖରେ କୃଷି ଆଇନ ଉପରେ ଶୁଣାଣି ଥିବାରୁ ୧୫ ତାରିଖରେ ପରବର୍ତ୍ତୀ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା।
କେନ୍ଦ୍ର ଓ କୃଷକ ସଂଗଠନ ମଧ୍ୟରେ ୮ ଥର ଆଲୋଚନା ବିଫଳ ହେଲାଣି। ସରକାର ସମାଧାନ ଚାହୁଁ ନ ଥିବା କୃଷକ ନେତାମାନେ କହିଛନ୍ତି। ବୈଠକର ଘଣ୍ଟାଏ ପରେ ୩ ମନ୍ତ୍ରୀ ବାହାରକୁ ଯାଇ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। କୃଷକ ସଂଗଠନ ନେତାମାନେ ‘ଜିତେଙ୍ଗେ ୟା ମରେଙ୍ଗେ’ ଲେଖାଥିବା କାଗଜ ଧରି ନୀରବରେ ବସି ରହିଥିଲେ। ସେମାନେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇ ନ ଥିଲେ। ବୈଠକ ପୂର୍ବରୁ ତୋମାର ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ। ଏହା ପୂର୍ବରୁ ଜାନୁୟାରୀ ୪ରେ ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟ ଆଲୋଚନା ମଧ୍ୟ ଅନୁରୂପ ଭାବେ ବିନା ନିଷ୍କର୍ଷରେ ଶେଷ ହୋଇଥିଲା।

Share