Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟାକୁ କେନ୍ଦ୍ରର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧୫।୫(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ଗତ ୫ ତାରିଖରେ ମରାଠା କୋଟା ଉପରେ ରାୟ ଦେଲାବେଳେ ସମ୍ବିଧାନର ୧୦୨ତମ ସଂଶୋଧନକୁ ନେଇ କରିଥିବା ବ୍ୟାଖ୍ୟାକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ କରିଛନ୍ତି। ରିଭ୍ୟୁ ପିଟିଶନରେ କେନ୍ଦ୍ର ସରକାର କହିଛନ୍ତି, ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (ଏସ୍‌ଇବିସି) ଚିହ୍ନଟ କରିବା କ୍ଷମତା ରାଜ୍ୟ ସରକାରମାନଙ୍କଠାରୁ ଛଡ଼ାଇ ନିଆଯାଇପାରିବ ନାହିଁ। ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ସମ୍ବିଧାନର ୧୦୨ତମ ସଂଶୋଧନକୁ କାଏମ ରଖିଥିବାବେଳେ ଏବାବଦରେ ରାଜ୍ୟଗୁଡ଼ିକର କ୍ଷମତାକୁ କାଢ଼ିନେଇଥିଲେ। ୧୦୨ତମ ସଂଶୋଧନ ମାଧ୍ୟମରେ ଅନୁଚ୍ଛେଦ ୩୬୬(୨୬ଗ) ଏବଂ ୩୪୨କ ସାମିଲ କରାଯାଇଛି। ଏଥିରେ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କୁ ବାଦ୍‌ ଦେଇ କେବଳ ରାଷ୍ଟ୍ରପତିଙ୍କୁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏସ୍‌ଇବିସି ଚୟନ କରିବା ଓ ଏହାର ତାଲିକା ଅନୁଚ୍ଛେଦ ୩୪୨କ(୧)ରେ ପ୍ରକାଶ କରିବା କ୍ଷମତା ଦିଆଯାଇଛି ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ୧୦୨ତମ ସଂଶୋଧନ ରାଜ୍ୟଗୁଡ଼ିକଠାରୁ କ୍ଷମତା କାଢ଼ିନେଇ ଏ ସମ୍ପର୍କିତ ନିଷ୍ପତ୍ତି ନେବା କ୍ଷମତା କେବଳ ରାଷ୍ଟ୍ରପତିଙ୍କ ଉପରେ ଛାଡ଼ିଥିବା ବ୍ୟାଖ୍ୟା ଉପରେ ୫ ଜଣିଆ ଖଣ୍ଡପୀଠର ୩ ବିଚାରପତି ସହମତ ହୋଇଥିଲେ।

Share