Categories: ଜାତୀୟ

କେନ୍ଦ୍ରର ଯୋଜନା: ଅବସର ପରେ ବି ବାହାରେ କିଛି କହି ପାରିବେନି ଆଇଏଏସ-ଆଇପିଏସ-ଆଏଫଏସ ଅଫିସର: ପେନସନ ହେବ ବନ୍ଦ…

ନୂଆଦିଲ୍ଲୀ,୧୫।୭ : ଅଲ ଇଣ୍ଡିଆ ସର୍ଭିସେସ ଅଧୀନରେ ଥିବା ଆଇଏଏସ, ଆଇପିଏସ, ଆଇଏଫଏସ ଏବଂ ଅନ୍ୟାନ୍ୟ ସେବା ଉପରେ କେନ୍ଦ୍ର ସରକାର ପୂର୍ବରୁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଅବସରପ୍ରାପ୍ତ ଅଫିସରଙ୍କ ପାଇଁ ସେମାନଙ୍କ ଅଭିବ୍ୟକ୍ତି ବିଷୟରେ ସରକାର ଅନେକ ନିୟମ ମଧ୍ୟ କରିଛନ୍ତି। ଯଦି ଜଣେ ଅବସରପ୍ରାପ୍ତ ଅଧିକାରୀ ତାଙ୍କ ବିଭାଗ ବିଷୟରେ କିଛି କହନ୍ତି ଅବା ଲେଖନ୍ତି, ତେବେ ତାଙ୍କର ପେନସନ ବନ୍ଦ ହୋଇପାରେ କିମ୍ବା ଏହା ହ୍ରାସ କରାଯାଇପାରେ।

ଏପରି ମାମଲାକୁ ଗୁରୁତର ଅପରାଧ ଭଳି ବିବେଚନା କରାଯିବ। ଉକ୍ତ ଅପରାଧ ବର୍ଗରେ କେନ୍ଦ୍ର ସରକାର ସେମାନଙ୍କର ଯେକୌଣସି ଜିନିଷକୁ ଅନ୍ତର୍ଭୁକ୍ତ କରିପାରିବେ । କେଉଁ ଅପରାଧ ଛୋଟ ହେବ ଏବଂ କେଉଁଟି ଗମ୍ଭୀର ହେବ ସେନେଇ କୌଣସି ସ୍ପଷ୍ଟୀକରଣ ନାହିଁ। ପେନସନ ବନ୍ଦ କିମ୍ବା ବନ୍ଦ କରିବା ପାଇଁ ସରକାର ପ୍ରଥମେ ୟୁପିଏସସି ସହିତ ପରାମର୍ଶ କରିବେ। ତେବେ ପେନସନ ସମ୍ପୂର୍ଣ୍ଣ ବନ୍ଦ କିମ୍ବା ଆଂଶିକ ବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ଭାବେ ବିବେଚନା କରାଯିବ।

ଆଇନ ବିଶେଷଜ୍ଞମାନେ କହିଛନ୍ତି ସମ୍ବିଧାନର ଧାରା ୧୯ (୧) ଅନୁଯାୟୀ ଯେ କୌଣସି ନାଗରିକ ସରକାରଙ୍କୁ ସମାଲୋଚନା କରିପାରିବେ। ସେ ଯେ କୌଣସି ମାଧ୍ୟମରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିବାକୁ ମୁକ୍ତ ଅଟନ୍ତି। ଏହା ମୌଳିକ ଅଧିକାର ବର୍ଗରେ ଆସେ ।

କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ (କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ) ପକ୍ଷରୁ ଜୁଲାଇ ୬ରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ପ୍ରସ୍ତୁତ ନିୟମକୁ ଅଲ ଇଣ୍ଡିଆ ସର୍ଭିସେସ (ମୃତ୍ୟୁ-ସହ-ଅବସର-ଲାଭ) ସଂଶୋଧନ ନିୟମ, ୨୦୨୩ କୁହାଯିବ । ନିୟମ ୩ (୧) ରେ ଏହା ଲେଖାଯାଇଛି ଅବସର ପରେ ଅଲ ଇଣ୍ଡିଆ ସେବା ଅଧିକାରୀଙ୍କ ଆଚରଣ ସର୍ବଦା ଭଲ ହେବା ଉଚିତ, କେବଳ ସେତେବେଳେ ହିଁ ସେମାନେ ପେନସନ ପାଇବେ।

ନିୟମ ୩ (୨) ଅନୁସାରେ ଅବସର ପରେ ଜଣେ ପେନସନଭୋଗୀ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି କିମ୍ବା ଗୁରୁତର ଅସଦାଚରଣ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କେନ୍ଦ୍ର ସରକାର ତାଙ୍କ ପେନସନ ବନ୍ଦ କରିପାରିବେ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଟକାଇ ପାରିବେ। ଅବସରପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅପରାଧର ଗମ୍ଭୀରତାକୁ ସରକାର ସ୍ଥିର କରିବେ। ତେବେ କେଉଁ ଅପରାଧ ସାଧାରଣ ହେବ ଏବଂ କେଉଁଟି ଗୁରୁତର ହେବ, ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

Share