Categories: ଜାତୀୟ

କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରାଇବାକୁ କେନ୍ଦ୍ରର ପ୍ରସ୍ତାବ

ନୂଆଦିଲ୍ଲୀ, ୧୮ା୩: ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ଠକାମୀର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ଅର୍ଥ ପୈଠ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଏକ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେବି-ସାହାରା ଆକାଉଣ୍ଟରୁ ୫,୦୦୦ କୋଟି ଟଙ୍କା କୋଅପରେଟିଭ୍‌ ସୋସାଇଟିଗୁଡ଼ିକର କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ହୋଇ କହିଥିଲେ, ସେବି-ସାହାରା ଆକାଉଣ୍ଟରେ ୨୩,୦୦୦ କୋଟି ଟଙ୍କା କୌଣସି କାର୍ଯ୍ୟରେ ନ ଲାଗି ପଡ଼ିରହିଛି। ସେଥିରୁ କିଛି ଅର୍ଥ ଠକେଇର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ପୈଠ କରିବା ଲାଗି ମେହେଟ୍ଟା ଅନୁରୋଧ କରିଥିଲେ। ଜମାକାରୀଙ୍କ ଅର୍ଥ ଫେରସ୍ତ ଲାଗି ସରକାର ସହଯୋଗ ବିଭାଗ, ଇଡି, ଏସ୍‌ଏଫ୍‌ଆଇଓ, ଆୟକର ବିଭାଗ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସମେତ ୧୮ଟି ବିଭାଗ ସହ ଆଲୋଚନା
କରିଛନ୍ତି। ଏଥିରେ କେତେଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାରକୁ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଥିବା ହଜାର ହଜାର ଜମାକାରୀ କିପରି ସେମାନଙ୍କ ଅର୍ଥ ଫେରିପାଇବେ ପ୍ରସ୍ତାବ ଦେବା ଲାଗି ଗତ ଜାନୁୟାରୀ ୧୬ରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ଓଡ଼ିଶା ସରକାର ଏବଂ ଚିଟ୍‌ଫଣ୍ଡ ଦୁର୍ନୀତି ସହ ସମ୍ପୃକ୍ତ ଅନ୍ୟାନ୍ୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ବିଳମ୍ବ ଯୋଗୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଖଣ୍ଡପୀଠ କହିଥିଲେ।

Share