Categories: ଖେଳ

କୋହଲିଙ୍କ ପ୍ରଶଂସାରେ ଶତମୁଖ ଦ୍ରାବିଡ

ତ୍ରିନିଦାଦ,୨୦।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିବେ। କୋହଲି ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏହି ସଫଳତା ହାସଲ କରିବାରେ ସେ ଭାରତର ଚତୁର୍ଥ ଖେଳାଳି ହେବେ। ଏହି ବିଶେଷ ଅବସରରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କୋହଲିଙ୍କୁ ପ୍ରଶଂସା କରିଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଆୟୋଜିତ ହୋଇଥିବା ଖବରଦାତା ସମ୍ମିଳନୀରେ ରାହୁଲ ଦ୍ରାବିଡ କୋହଲିଙ୍କୁ ପ୍ରଶଂସା କରି କହିଛନ୍ତି, ମୁଁ ଜାଣେ ନାହିଁ ଏହା ହେଉଛି ତାଙ୍କର ୫୦୦ତମ ମ୍ୟାଚ, ସଂଖ୍ୟା ଦୃଷ୍ଟିରୁ ମୁଁ ଭଲ ନୁହେଁ। ଏହା ଶୁଣିବା ଅତ୍ୟନ୍ତ ଭଲ ଏବଂ ସେ ସମସ୍ତ ଖେଳାଳିଙ୍କ ପାଇଁ ପ୍ରେରଣା। ଏହା କୋହଲିଙ୍କର ପରିଶ୍ରମର ଫଳାଫଳ।
ଦ୍ରାବିଡ ଆହୁରି ମଧ୍ୟ କହିଛନ୍ତି, ବିରାଟ କୋହଲିଙ୍କ ନମ୍ବର ଏବଂ ରେକର୍ଡ ତାଙ୍କ ବିଷୟରେ ସବୁକିଛି କହିଥାଏ। କୋହଲି କ୍ରମାଗତ ଭାବରେ ପରଦା ପଛରେ ରଖିଥିବା କଠିନ ପରିଶ୍ରମକୁ ମୁଁ କେବଳ ବୁଝିପାରୁଛି। ଏହି କାରଣରୁ ଆଜି ସେ ୫୦୦ତମ ମ୍ୟାଚ୍‌ରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଯେତେବେଳେ ମୁଁ ଖେଳୁଥିଲି ଏବଂ ସେ ଦଳକୁ ଆସିଥିଲେ, ସେ ଜଣେ ଯୁବ ଖେଳାଳି ଥିଲେ। ଗତ ୧୮ ମାସ ମଧ୍ୟରେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିବାର ସୁଯୋଗ ପାଇଲି। ଏହା ବହୁତ ସୁନ୍ଦର ଥିଲା। ମୁଁ ମଧ୍ୟ କୋହଲିଙ୍କଠାରୁ ବହୁତ କିଛି ଶିଖିଲି।
୫୦୦ କିମ୍ବା ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବରେ ବିରାଟ କୋହଲି ବିଶ୍ୱ କ୍ରିକେଟର ଦଶମ ଖେଳାଳି ହେବେ। ଏ ପର୍ଯ୍ୟନ୍ତ ୫୦୦ ମ୍ୟାଚ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ମହେଳା ଜୟଓ୍ବର୍ଦ୍ଧନେ, ସନଥ ଜୟସୁରିଆ, ରିକି ପଣ୍ଟିଂ, ମହେନ୍ଦ୍ର ସିଂ ଧୋନୀ, ଶହିଦ ଆଫ୍ରିଦି, ଜ୍ୟାକ କାଲିସ ଏବଂ ରାହୁଲ ଦ୍ରାବିଡ ଅଛନ୍ତି।

Share