ନିର୍ବାଚନ ସାମଗ୍ରୀ ବିଷୟରେ ସମୀକ୍ଷାକଲେ ସିଇଓ

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର):ଓଡ଼ିଶାରେ ଆଗାମୀ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ସବୁ ଜିଲାର ନିର୍ବାଚନ ସାମଗ୍ରୀ ନୋଡାଲ ଅଧିକାରୀଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଇଓଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ତିରୁମାଲା ନାଏକ ଓ ମିହିର ମହାନ୍ତି ଏହି ସମୀକ୍ଷା କରିଛନ୍ତି। ବୈଠକରେ ରାଜ୍ୟର ସମସ୍ତ ଜିଲାର ନିର୍ବାଚନ ସାମଗ୍ରୀ ନୋଡାଲ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗଦେଇ ନିଜ ଜିଲାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ବୁଥ୍‌ସ୍ତରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ସାମଗ୍ରୀ ଆବଶ୍ୟକ ହୋଇଥାଏ। ସେହି ସମସ୍ତ ସାମଗ୍ରୀ ଯେପରି ରାଜ୍ୟର ସବୁ ବୁଥ୍‌ ପାଇଁ ଉପଯୁକ୍ତ ଭାବେ ପ୍ରାପ୍ତ ହୋଇପାରିବ ସେସବୁ ବିଷୟରେ ସମୀକ୍ଷା କରାଯାଇଛି। ଭୋଟିଂ କମ୍ପାର୍ଟମେଣ୍ଟ, ବ୍ୟାକ୍‌ପେକ୍‌, ଏଲ୍‌ଇଡି ଲ୍ୟାମ୍ପ, ବାକ୍ସ, ଲୁହା ର଼୍ୟାକ୍‌, ଏକଜଷ୍ଟ ଫ୍ୟାନ୍‌, ସିଲ୍‌, କାଳି, କାର୍ବନ ପେପର, ଗୁଲିସୂତା, ପିନ୍‌, ମହମବତି, ଷ୍ଟାମ୍ପପ୍ୟାଡ୍‌ ଭଳି ବିଭିନ୍ନ ସାମଗ୍ରୀ ପ୍ରତିଟି ବୁଥ୍‌ରେ ବ୍ୟବହାର ହେବ। ଜିଲାସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟର ପ୍ରାୟ ଜିଲାଗୁଡିକରେ ଅତିରିକ୍ତ ଜିଲାପାଳମାନେ ଏହି ନିର୍ବାଚନ ସାମଗ୍ରୀଗୁଡ଼ିକର ନୋଡାଲ ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତି। ଗୁରୁବାର ଅନୁଷ୍ଠିତ ହୋଇଥିବା ଆଭାସି ବୈଠକରେ ଏହି ସମସ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ବିଭିନ୍ନ ଜିଲାର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ବିଭିନ୍ନ ଜିଲାରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସାମଗ୍ରୀର ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଉକ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହେବେ। ଏହାଦ୍ୱାରା ସେମାନେ ବୁଥ୍‌ସ୍ତରରେ ସମସ୍ତ ସାମଗ୍ରୀର ସୁବ୍ୟବହାର କରିପାରିବେ। ଆସନ୍ତା ସାଧାରଣ ନିର୍ବାଚନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ନୋଡାଲ ଅଫିସରଙ୍କ ସହ ଏ ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି।

Share