‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍‌

ଅଧିକାଂଶ ସମୟରେ ଆପଣ ଶୁଣିଥିବେ ବିଶେଷ କରି କର୍ପୋରେଟିଭ ଚାକିରୀରେ କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ। ଛୁଟି ପାଇଁ ଲୋକଙ୍କୁ ଦୁର୍ଘଟଣା କିମ୍ବା ଦେହ ଖରାପ ହେବା ଠାରୁ ଆରମ୍ଭ କରି ବଡ ବଡ ମିଛ କହିବାକୁ ପଡେ। ତେବେ ପାର୍ଟି କରୁଥିବାର କହି କେଉଁ କର୍ମଚାରୀଙ୍କୁ ଛୁଟି ନେଉଥିବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା! ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କର୍ମଚାରୀ ତାଙ୍କ କମ୍ପାନୀର ସିଇଓଙ୍କୁ ଏପରି କହି ଛୁଟି ନେଇଥିବାର ହ୍ବାଟସଆପ୍‌ ସ୍କ୍ରିନସଟ୍‌ ଭାଇରାଲ ହୋଇଛି।

ଏକ ବଡ କମ୍ପାନୀର ସିଇଓ ଅଙ୍କିତ ଅଗ୍ରଓ୍ବାଲ ଲିଙ୍କଡିନ୍‌ରେ ଏକ ହ୍ବାଟସଆପ୍‌ ମେସେଜ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ କମ୍ପାନୀର ଜଣେ କର୍ମଚାରୀ ତାଙ୍କୁ ହ୍ବାଟସଆପରେ ମେସେଜ କରି ଛୁଟି ମାଗିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି, କର୍ମଚାରୀଜଣକ ଛୁଟି ପାଇଁ କୌଣସି ବାହାନା ନ କରି ବିନ୍ଦାସ ଭାବରେ ନିଜର ଛୁଟିର କାରଣ ଜଣାଇଛନ୍ତି।

ସୂଚନାଯୋଗ୍ୟ,ଗୁରବାର ସକାଳ ୪.୫୩ରେ କର୍ମଚାରୀଜଣକ ବସ୍‌ଙ୍କୁ ମେସେଜ କରିଥିଲେ। ସେ ଲେଖିଥିଲେ, ହାଏ ଅଙ୍କିତ, ଦୀର୍ଘଦିନ ପରେ ମୁଁ ପାର୍ଟିକୁ ଆସିଛି। ପାର୍ଟି ଏବେ ପର୍ଯ୍ୟନ୍ତ ଚାଲୁ ରହିଛି। କ୍ଷମା କରିବ ଶୁକ୍ରବାର ଅଫିସ ଆସି ପାରିବି ନାହିଁ। ଟିମ୍‌ ସହ ସାବେଳେ ମୁଁ କଥା ହୋଇଯିବି।
ଏହାର ଉତ୍ତରରେ ଅଙ୍କିତ ଲେଖିଥିଲେ, ଠିକ୍‌ ଅଛି। ଆଶା କରୁଛି କନସର୍ଟ ଜବରଦସ୍ତ ରହିବ। କେବେ ଆମକୁ ବି ନେଇଯାଅ। ଏହାକୁ ନେଇ କର୍ମଚାରୀଜଣକ କହିଥିଲେ, ଯେତେବେଳେ କହିବେ।

ଏହି ମଜାଳିଆ ବାର୍ତ୍ତାଳାପର ସ୍କ୍ରିନସଟ୍‌କୁ ଅଙ୍କିତ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ଆଜି ସକାଳେ ଜଣେ କର୍ମଚାରୀଙ୍କ ମେସେଜ ମୋ ହ୍ବାଟସଆପ୍‌କୁ ଆସିଥଲା। ଯେଉଁଥିରେ କର୍ମଚାରୀଜଣକ ପାର୍ଟି ବିଷୟରେ କହି ଛୁଟି ମାଗିଥିଲେ। ଟିମ୍‌ ସହ ଏହିଭଳି ବନ୍ଧୁତ୍ୱପୂର୍ଣ୍ଣ ଭାବ ରହିବା ଜରୁରୀ। କାରଣ ସେମାନଙ୍କୁ ଅନୁଭବ ହେବ ଯେ, ଆମେ ତାଙ୍କ ସାଙ୍ଗରେ ଅଛୁ।

Share