Categories: ଖେଳ

ଚହଲ, ଅର୍ଶଦୀପଙ୍କୁ ମିଳିଲା ସଫଳତା

ତ୍ରିନିଦାଦ,୩ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଟସ୍‌ ହାରି ଭାରତ ବୋଲିଂ କରିଥିଲା। ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ ଦୁଇଟି ଲେଖାଏ ଉଇକେଟ ନେବାରୁ େଓଷ୍ଟେଇଣ୍ଡିଜ୍‌ ୨୦ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ରୋଭମାନ ପାଓ୍ବେଲ ୪୮ ଓ ନିକୋଲାସ ପୁରନ ୪୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଆଇପିଏଲ୍‌ ସେନସେସନ୍‌ ତିଳକ ବର୍ମା ଓ ମୁକେଶ କୁମାର ଟି ୨୦ ପଦାର୍ପଣ କରିଛନ୍ତି।

ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ମୁକେଶ କୁମାର ବୋଲିଂ ଆରମ୍ଭ କରିଥିଲେ। ପ୍ରଥମ ୩ ଓଭରରେ ଓ୍ବେଷ୍ଟଇଣ୍ଡିଜ୍‌ ୨୧ ରନ୍‌ କରିଥିଲା। ଚତୁର୍ଥ ଓଭରରରୁ ସ୍ପିନ୍‌ ବୋଲରଙ୍କୁ ବ୍ୟବହାର କରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରଥମ ଉଇକେଟରେ ଓ୍ବେଷ୍ଟଇଣ୍ଡିଜର ଦୁଇ ଓପନର ୨୯ ରନ୍‌ ଯୋଡିଥିଲେ। ବ୍ରାଣ୍ଡନ୍‌ କିଙ୍ଗ ଧୂଆଁଧାର ବ୍ୟାଟିଂ କରିବା ସହ ୧୯ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୨୮ ରନ୍‌ କରିଥିଲେ। ୫ମ ଓଭରର ପ୍ରଥମ ବଲରେ କାଇଲ ମେୟର୍ସ(୧)ଙ୍କୁ ଆଉଟ କରିଥିଲେ ୟୁଜବେନ୍ଦ୍ର ଚହଲ। ପରବର୍ତ୍ତୀ ଦୁଇ ବଲ ମଧ୍ୟରେ ବିପଜ୍ଜନକ ବ୍ରାଣ୍ଡନ କିଙ୍ଗଙ୍କୁ ମଧ୍ୟ ସେ ପ୍ୟାଭିଲିୟନ୍‌ ପଠାଇଥିଲେ। ଉଇକେଟ କିପର ନିକୋଲାସ ପୁରନ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ଜନସନ୍‌ ଚାଲର୍‌ସ ମାତ୍ର ୩ ରନ୍‌ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ନିକୋଲାସ ପୁରନ୍‌ ଦ୍ରୁତ ୪୧ ରନ୍‌ ସ୍କୋର କରିଥିବା ବେଳେ ଅଧିନାୟକ ରୋଭମାନ୍‌ ପାଓ୍ବେଲ(୪୮)ଙ୍କ ସହ ୩୮ ରନ୍‌ ଯୋଡିଥିଲେ। ୨୮ ବଲ୍‌ ଖେଳି ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିବା ବେଳେ ଭାରତୀୟ ଅଧିନାୟକ ପାଣ୍ଡ୍ୟାଙ୍କ ବଲରେ ତିଳକ ବର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ ପୁରନ୍‌। ପୁରନ ପ୍ୟାଭିଲିୟନ ଫେରିବା ପରେ ଅଧିନାୟକ ରୋଭମାନ ପାଓ୍ବେଲ ୩୨ ବଲ୍‌ ଖେଳି ୪୮ ରନ୍‌ ସ୍କୋର କରିଥିଲେ। ତାଙ୍କ ଇନିଂସରେ ୩ ଚୌକା ଓ ୩ ଛକା ସାମିଲ ଥିଲା। ଶେଷ ଭାଗରେ ସିମରନ ହେଟମେୟର ୧୦, ରୋମାରିଓ ଶେଫର୍ଡ ୪ ଓ ଜାସନ୍‌ ହୋଲ୍ଡର ୬ ରନ୍‌ କରିଥିଲେ।

Share