
ମୁମ୍ବାଇ,୨୦।୩: ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଅଲଗା ହୋଇଯାଇଛନ୍ତି। ଆଜି ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ମାସ୍କ ପିନ୍ଧି ମୁହଁ ଲୁଚାଉଥିବାର ଦେଖାଯାଇଥିଲା। ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏବେ ଏହି ଫଟୋଗୁଡ଼ିକରେ, ୟୁଜଭେନ୍ଦ୍ରଙ୍କ ଟି-ସାର୍ଟରେ ଏପରି କିଛି ଲେଖା ହୋଇଥିବାର ଦେଖାଗଲା। ଯାହା ସେମାନଙ୍କ ଛାଡପତ୍ର ଅପେକ୍ଷା ଅଧିକ ଶିରୋନାମା ମଣ୍ଡନ କରୁଛି।
ଘଟଣାହେଲା, ୟୁଜଭେନ୍ଦ୍ର ଚହଲ ଗୁରୁବାର ସକାଳେ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ବହୁତ ସିମ୍ପଲ ଲୁକରେ ଦେଖିବାକୁ ମିଳିଥିଲା। କ୍ରିକେଟର ୟୁଜଭେନ୍ଦ୍ର ଚହଲ କଳା ଟି-ସାର୍ଟ ପିନ୍ଧି କୋର୍ଟରେ ପହଞ୍ଚିଥିଲେ। ତାଙ୍କ ଟି-ସାର୍ଟରେ ଲେଖାଯାଇଥିଲା – ”be your own sugar daddy.’ ଏହାର ଅର୍ଥ ହେଉଛି – ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ପାଇଁ ଆର୍ଥିକ ଭାବରେ ସ୍ବାଧୀନ ହୁଅ ଏବଂ ନିଜର ଆବଶ୍ୟକତା ନିଜେ ପୂରଣ କର।
ୟୁଜଭେନ୍ଦ୍ରଙ୍କ ଟି-ସାର୍ଟରେ ଲେଖାଯାଇଥିବା ଏହି ଶବ୍ଦଗୁଡ଼ିକୁ ଦେଖି ସମସ୍ତେ ଏବେ ଅନୁମାନ କରୁଛନ୍ତି ଯେ ଏହା ମାଧ୍ୟମରେ ସେ ଧନଶ୍ରୀଙ୍କୁ କଟାକ୍ଷ କରିଛନ୍ତି। କାରଣ ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଧନଶ୍ରୀ ଛାଡପତ୍ର ପାଇଁ ଚହଲଙ୍କଠାରୁ ୪.୭୫ କୋଟି ଟଙ୍କା ଭରଣପୋଷଣ ନେଇଛନ୍ତି। ଯେଉଁଥିରୁ କ୍ରିକେଟର ଜଣକ ଧନଶ୍ରୀଙ୍କୁ ୨.୩୭ କୋଟି ଟଙ୍କା ଦେଇସାରିଛନ୍ତି।
ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କର ୨୦୨୦ ମସିହାରେ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଏବଂ କ୍ରିକେଟର ଅଂଶଗ୍ରହଣ କରିଥିଲେ। ରିପୋର୍ଟ ଅନୁସାରେ, ଗତ ଗୋଟିଏ ବର୍ଷ ଧରି ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଯାହା ଯୋଗୁଁ ସେମାନେ ଗୋଟିଏ ବର୍ଷ ଧରି ଅଲଗା ରହୁଥିଲେ। ଏହା ଜଣାଶୁଣା ଯେ ଧନଶ୍ରୀ ବର୍ମା ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ୟୁଟ୍ୟୁବର। ଏବେ ସେ ଅଭିନୟ ଜଗତରେ ମଧ୍ୟ ପ୍ରବେଶ କରିଛନ୍ତି। ତାଙ୍କର ଗୋଟିଏ ଗୀତ ନିକଟରେ ମୁକ୍ତିଲାଭ କରିଛି।