Categories: ଖେଳ

ଚୂଡ଼ାନ୍ତ ଏକାଦଶରେ ନ ଥିଲେ, କିନ୍ତୁ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

କାନବେରା, ୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ବିଜୟୀ ଦଳ ପାଇଁ ସର୍ବାଧିକ ୩ ଉଇକେଟ ନେଇଥିବା ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ତେବେ ତାଙ୍କୁ ମ୍ୟାଚ୍‌ ଲାଗି ଘୋଷିତ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା।

ମ୍ୟାଚ୍‌ର ପ୍ରଥମ ଇନିଂସର ଅନ୍ତିମ ଓଭରରେ ଅଲାରଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ହେଲମେଟରେ ବାଜିଥିଲା ମିଚେଲ ଷ୍ଟାର୍କଙ୍କ ବାଉନ୍ସର। ଇନିଂସ ଶେଷ ହେବାର ମାତ୍ର ୪ ବଲ ପୂର୍ବରୁ ଜାଡେଜାଙ୍କ କନକସନ ଟେଷ୍ଟ କରାଯାଇଥିଲା। ଏହି ଇନିଂସ ବ୍ରେକରେ ଚହଲଙ୍କୁ ସବ୍‌ଷ୍ଟିଚ୍ୟୁଟ ଖେଳାଳି ଭାବେ ବାଛିଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। କନକସନ ସବ୍‌ଷ୍ଟିଚ୍ୟୁଟ ନିୟମ ଅନୁସାରେ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ଭଳି ଜଣଙ୍କୁ ଦଳରେ ସାମିଲ କରାଯାଇପାରିବ। ଦଳରେ ମୁଖ୍ୟ ସ୍ପିନର ଭାବେ ଜାଡେଜା ସ୍ଥାନ ପାଇଥିଲେ। ଏଣୁ ଚହଲଙ୍କୁ ଦଳରେ ସାମିଲ କରିବାକୁ ଅନୁମତି ଦେଇଥିଲେ ମ୍ୟାଚ୍‌ ରେଫରୀ ଡେଭିଡ ବୁନ। ଏହା ପରେ ଚହଲ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ସେ ୪ ଓଭରେ ୨୫ ରନ୍‌ ଦେଇ ହାତେଇଥିଲେ ୩ ଉଇକେଟ। ଉଲ୍ଲେଖଯୋଗ୍ୟ, ବ୍ୟାଟିଂ କରୁଥିବା ବେଳେ ଜାଡେଜା (୪୪*)ଙ୍କ ମାଂସପେଶୀରେ ମଧ୍ୟ ଆଘାତ ଲାଗିଥିଲା।

Share