‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି ଗୀତ ରହିଛି। ଏହି ଗୀତକୁ ଗାଇଛନ୍ତି ଚାହତ ଫତେହ ଅଲ୍ଲୀ ଖାନ୍‌। ରାତାରାତି ସେ ଏବେ ସୋସିଆଲ ମିଡିଆ ସେନସେଶନ ପାଲଟିଛନ୍ତି। ତାଙ୍କ ଗୀତରେ ହଜାର ହଜାର ସଂଖ୍ୟାରେ ରିଲ୍ସ ଅପ୍‌ଲୋଡ ହେଉଛି। ଏମିତିରେ ତାଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ଉତ୍କଣ୍ଠା ବଢ଼ିଛି।

ଚାହତ ଫତେହ ଅଲ୍ଲୀ ଖାନ୍‌ଙ୍କ ପ୍ରକୃତ ନାମ ଅଲ୍ଲି ଆଦନ। ହେଲେ ସ୍କ୍ରିନ୍‌ରେ ତାଙ୍କ ନାମକୁ ସେ ବଦଳାଇଛନ୍ତି। ସେ ଜଣେ କ୍ରିକେଟର ମଧ୍ୟ। ୧୯୮୩-୮୪ ଲାହୋରରେ କ୍ୱେଦ-ଏ-ଆଜମ୍‌ ଟ୍ରଫିରେ ସେ ଖେଲିଥିଲେ। ପଞ୍ଜାବ ଏବଂ ଲଣ୍ଡନରେ ସେ ନିଜର ଶିକ୍ଷା ସମାପ୍ତ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ଭାଇରାଲ ହୋଇଥିଲା। ସେଥିରେ ‘ପ୍ୟାରା ପିଏସ୍‌ଏଲ୍‌, ଲୋଟା ଲୋଟା, ଗୋଲ କଟ୍ଟରା, ତୁ ଚୋର ଚୋର୍‌ ଚୋର୍‌’ ଆଦି ସାମିଲ ରହିଛି।

ଗୀତଗୁଡ଼ିକ ଭାଇରାଲ ହେବା ପରେ ଚାହତଙ୍କୁ ବହୁତ ଚାଟ୍‌ ଶୋ’ରୁ ନିମନ୍ତ୍ରଣ ମିଳିଥିଲା। ଏହାପରେ ସେ ଅନେକ ପୁରସ୍କାର ଶୋ’ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କୁ ଲାଇଭ୍‌ ଶୋ’ ସମୟରେ ୨୮ ବିବାହ ପ୍ରସ୍ତାବ ମିଳିଥିଲା, ହେଲେ ସେ ବିବାହିତ ଥିବା ଯୋଗୁ ଗୋଟିଏ ବି ସ୍ବୀକାର କରି ନ ଥିଲେ।

Share